“ନାବାଳିକାକୁ ନିଆଁ ଲଗାଇ ଜାଳିଦେଲେ, ହେଲେ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ସରକାର”; ନବୀନ ପଟ୍ଟନାୟକ
ଅସନ୍ତୋଷ ଝାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ବଳଙ୍ଗା: ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତାଙ୍କ କ୍ଷୋଭ। ଅସନ୍ତୋଷ ଝାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କହିଲେ ସପ୍ତାହକ ଭିତରେ ସ୍ପଷ୍ଟ ଦିବାଲୋକରେ ଦୁଇ ଦୁଇଟି ଘଟଣା ଘଟିଲା। ପ୍ରତ୍ୟେକ ଦିନ ମହିଳା ନିର୍ଯ୍ୟାତନା ଖବର ଆସୁଛି। ହେଲେ ଏହା କେବଳ ହିଂସା ନୁହେଁ ହୁଗୁଳା ଶାସନ ବ୍ୟବସ୍ଥାକୁ ଦର୍ଶାଉଛି। ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁନାହାନ୍ତି।
ତେଣୁ ପ୍ରତ୍ୟେକ ଦିନ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି। ସୂଚନାନୁସାରେ, ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବାୟାବର ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା କୌଣସି କାମରେ ଗୋପାଳପୁର ଗାଁକୁ ଯାଇ ଘରକୁ ଫେରୁଥିଲେ।
ଏହି ସମୟରେ ୩-୪ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ। ନିକଟସ୍ଥ ନଦୀବନ୍ଧ ଉପରେ ନାବାଳିକା ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ।
ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା। ଜଣଙ୍କ ଘର ସାମ୍ନାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ। ଏହା ପରେ ଉକ୍ତ ଘରର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।
କିଛି ଦୁର୍ବୃତ୍ତ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି ନାବାଳିକା ଜଣକ ଉକ୍ତ ଘର ଲୋକଙ୍କୁ କହିଥିଲେ। ବଳଙ୍ଗା ଥାନା ପୋଲିସ ତନାଘନା ଆରମ୍ଭ କରିଛି।
ସେମାନେ କିଏ ଓ କାହିଁକି ନାବାଳିକାକୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ପିଡୀତା ନାବାଳିକା ଜଣଙ୍କୁ ଏମ୍ସର ବର୍ଣ୍ଣ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ି ଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନାବାଳିକାଙ୍କ ଚିକିତ୍ସା ଜାରି ରଖିଛନ୍ତି।