ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇ ସାରିଛି। ଏଠାରେ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ଦିଲ୍ଲୀ ପରେ ଆପର ଏହା ଦ୍ଵିତୀୟ ରାଜ୍ୟ ଦଖଲ। ଏହା ପଞ୍ଜାବ ରାଜନୀତିରେ ବଡ ଘଟଣା। ତେବେ ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଛି। ଦଳର ତୁଙ୍ଗ ନେତା ତଥା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମେତ ନବଜୋତ ସିଂହ ସିଦ୍ଧୁ ନିଜ ଆସନରୁ ପରାଜିତ ହୋଇଛନ୍ତି।
ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ। ଏଥିସହ ମୁଖ୍ୟମନ୍ତ୍ରୀ ପଦର ଦାବିଦାରରେ ମଧ୍ୟ ସାମିଲ୍ ଥିଲେ। ହେଲେ ସେ ନିଜ ସିଟ୍ ମଧ୍ୟ ବଞ୍ଚାଇ ପାରି ନାହାନ୍ତି। ଅମୃତସର ଇଷ୍ଟ ଆସନରୁ ଆପ୍ ପ୍ରାର୍ଥୀ ଜୀବନ ଜ୍ୟୋତି କୌର ସିଦ୍ଧୁଙ୍କୁ ପରାସ୍ତ କରିଛନ୍ତି। ଆପର ବିଜୟ ଉପରେ ସିଦ୍ଧୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିଜର ଦୁଇଟି ଆସନରୁ ପରାଜୟ ଭୋଗିଛନ୍ତି।
ସିଦ୍ଧୁ ନିଜର ପରାଜୟ ସ୍ଵୀକାର କରିଛନ୍ତି। ସେ କହିଛନ୍ତି, ପଞ୍ଜାବବାସୀ ଯେଉଁ ରାୟ ଦେଇଛନ୍ତି ତାକୁ ସ୍ଵୀକାର କରୁଛି। ସେ ଟୁଇଟ୍ କରି କହିଛନ୍ତି, ଜନତାଙ୍କ ସ୍ଵର ଭଗବାନଙ୍କ ସ୍ଵର ପରି ହୋଇଥାଏ। ପଞ୍ଜାବ ଲୋକଙ୍କ ରାୟକୁ ଆମେ ସମ୍ମାନ କରୁଛି। ଆମ୍ ଆଦମୀ ପାର୍ଟିକୁ ବିଜୟର ଅଭିନନ୍ଦନ।