fbpx

BIG BREAKING…ହରିୟାଣା ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ନୟାବ ସିଂ ସାଇନି ସରକାର

ନୂଆଦିଲ୍ଲୀ: ହରିୟାଣାର ନୟାବ ସିଂହ ସାଇନିଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆସ୍ଥା ଭୋଟ କୁ ନେଇ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏଥିସହ ଜେଜେପି ଏହାର ୧୦ ଜଣ ବିଧାୟକଙ୍କୁ ହ୍ୱିପ୍ ଜାରି କରି ମତଦାନ ସମୟରେ ଅନୁପସ୍ଥିତ ରହିବାକୁ କହିଥିଲା। ତେବେ ଆସ୍ଥା ଭୋଟ ପ୍ରସଙ୍ଗ ଉଠିବା ପରେ ଦଳର ୫ ଜଣ ବିଧାୟକ ଗୃହରୁ ଓହରି ଯାଇଥିଲେ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ସେ କର୍ନାଲରୁ ବିଧାୟକ ଥିଲେ।

ମଙ୍ଗଳବାର ମନୋହର ଲାଲ ଖଟ୍ଟର ସମଗ୍ର କ୍ୟାବିନେଟ ସହ ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ରାଜ୍ୟ ବିଜେପି ସଭାପତି ନୟାବ ସିଂ ସାଇନିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ନୟାବ ସାଇନି ୫ ଜଣ ମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି। ତେବେ ଜେଜେପିର କୌଣସି ସଦସ୍ୟଙ୍କୁ ଏହି ସରକାରରେ ସାମିଲ କରାଯାଇନଥିବା କୁହାଯାଉଛି। ଦୁଷ୍ମନ୍ତ ଚୌଟାଲା ଖଟ୍ଟର ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଥିବା ବେଳେ ୭ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ସମର୍ଥନ ରହିଛି। ଏହାବ୍ୟତୀତ ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କାଣ୍ଡା ମଧ୍ୟ ବିଜେପି ସପକ୍ଷରେ ଅଛନ୍ତି। ଗୃହରେ ଜେଜେପିର ୧୦ ଜଣ ବିଧାୟକ ଅଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ର ୩୦ ଜଣ ବିଧାୟକ ଥିବା ବେଳେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଜଣେ ବିଧାୟକ ଅଛନ୍ତି।

Get real time updates directly on you device, subscribe now.