ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟର ବିଭିନ୍ନ ଐତିହ୍ୟ ସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କର ଜନ୍ମପୀଠମାନଙ୍କରେ ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପ୍ରଖ୍ୟାତ ଲେଖକ ତଥା ପଦ୍ମଶ୍ରୀ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଗୌରବର କଥା ହୋଇଥିବା ବେଳେ ଆଉ କିଛି ଓଡ଼ିଶା ମାଟିର ସନ୍ତାନଙ୍କୁ ଅଣଦେଖା କରାଯାଉଛି । ସେପରି ଜଣେ ଯୋଗ୍ୟ ସନ୍ତାନ ହେଉଛନ୍ତି ମହାନ୍ ଜ୍ୟୋତିର୍ବିଦ ପଠାଣି ସାମନ୍ତ ।
ଏହା ମଧ୍ୟରେ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ନୟାଗଡ଼ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର କହିଥିଲେ, ବିଶ୍ୱସ୍ତରରେ ଓଡ଼ିଶାର ପରିଚୟ ସୃଷ୍ଟି କରିଥିବା କେତେଜଣ ଓଡ଼ିଆଙ୍କ ମଧ୍ୟରୁ ପଠାଣି ସାମନ୍ତ ହେଉଛନ୍ତି ଅନ୍ୟତମ । ପଠାଣି ସାମନ୍ତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧୨୦ ବର୍ଷ ବିତିଯାଇଥିଲେ ହେଁ ତାଙ୍କର ବାସସ୍ଥାନ ଏବେ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ତେଣୁ ଖଣ୍ଡପଡ଼ାରେ ଥିବା ଶ୍ରୀ ସାମନ୍ତଙ୍କ ଜନ୍ମପୀଠର ରୂପାନ୍ତରଣ କରିବା ନିହାତି ଆବଶ୍ୟକ । ସେଠାରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।
ସ୍ଥାନୀୟ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ପ୍ରେମାନନ୍ଦ ମହାପାତ୍ର ନୟାଗଡ଼ ଜିଲ୍ଲାର ୪ ଗଡ଼ଜାତର ଇତିହାସ ଓ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ସ୍ତମ୍ଭକାର ଓ ଲେଖକ ଜାନକୀଶ ବଡ଼ପଣ୍ଡା ନିଜ ବକ୍ତବ୍ୟରେ ଭୁବନେଶ୍ୱରରେ ନୟାଗଡ଼ବାସୀ ଏକାଠି ହେବା ପାଇଁ ଏକ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ। ସମାଜସେବୀ ନିବେଦିତା ଲେଙ୍କା ଅତିଥି ଭାବରେ ଯୋଗଦେଇ ନୟାଗଡ଼ର ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ସଭିଏଁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ।
କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅମରେଶ ଚନ୍ଦ୍ର ଦାସ, ସୁବ୍ରତ କୁମାର ନାୟକ, ଅଭିଳାଷ ପଣ୍ଡା, ଆଶିଷ କୁମାର ରଥ, ସତ୍ୟେନ୍ଦୁ ଶେଖର ମିଶ୍ର, ସୁଧାଂଶୁ ଶେଖର ସାହୁ, ରାଜକିଶୋର ଡାକୁଆ ଓ ପ୍ରତ୍ୟୁଷ ଦେବାଶିଷ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ୱରରେ ରହୁଥିବା ୫୦ରୁ ଅଧିକ ନୟାଗଡ଼ ବାସିନ୍ଦା ଏହି ଉତ୍ସବରେ ଭାଗ ନେଇଥିଲେ। ଆଗାମୀ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱରରେ ଦ୍ୱିତୀୟ ଛେନାପୋଡ଼ ଦିବସ ପାଳନ କରାଯିବା ପାଇଁ ଆଜିର ଉତ୍ସବରେ ନିଷ୍ପତ୍ତି ନିଆଯାଇଥିଲା।