fbpx

NCERTର ବଡ଼ ପଦକ୍ଷେପ: CBSE ଦ୍ୱାଦଶ ବହିରୁ ହଟିଲା ମୁଗଲ ଶାସନ ବିଷୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଛାତ୍ରଛାତ୍ରୀମାନେ ଏଣିକି ମୁଗଲ ଶାସନର ଇତିହାସ ପଢ଼ିବେ ନାହିଁ । ଇଣ୍ଟରମିଡିଏଟରେ ଚାଲିଆସୁଥିବା ଇତିହାସ ବହି ‘ଭାରତୀୟ ଇତିହାସର କିଛି ବିଷୟ-୨’ରୁ ଶାସକ ଓ ଇତିବୃତ୍ତ-ମୁଗଲ ଶାସନକୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ହଟାଇ ଦିଆଯାଇଛି । ଉଭୟ ଉତ୍ତରପ୍ରଦେଶ ବୋର୍ଡ ଓ (ସିବିଏସଇ)ର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ ।

ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ଦ୍ୱାରା ମୁଗଲ ଶାସନର ପାଖାପାଖି ୧୬ ଓ ୧୭ ଶତାବ୍ଦୀକୁ ହଟାଇ ଦିଆଯାଇଛି । ପୂର୍ବରୁ ପିଲାମାନଙ୍କୁ ଆକବରନାମା ଓ ବାଦଶାହନାମା, ମୁଗଲ ଶାସକ ଓ ତାଙ୍କର ସାମ୍ରାଜ୍ୟ, ପାଣ୍ଡୁପିଲି ରଚନା, ରଙ୍ଗୀନ ଚିତ୍ର, ଆଦର୍ଶ ରାଜ୍ୟ, ରାଜଧାନୀ ଓ ଦରବାର, ଉପହାର, ମୁଗଲ ଆଭିଜାତ୍ୟ, ସୂଚନା ତଥା ସାମ୍ରାଜ୍ୟ, ସୀମା ଉପରେ ଆଧାରିତ ଟିକିନିଖି କଥା ପଢ଼ାଯାଉଥିଲା । ତେବେ ଏକାଦଶ ଶ୍ରେଣୀର ବହିରୁ ଇସଲାମ ଉଦୟ, ଔଧ୍ୟୋଗିକ କ୍ରାନ୍ତି, ସମୟର ଶୁଭାରମ୍ଭ ଆଦି ପାଠରୁ ମଧ୍ୟ ହଟାଇ ଦିଆଯାଇଛି ।

ସ୍ୱାଧୀନ ଭାରତର ରାଜନୀତି ବହିରୁ ଜନ ଆନ୍ଦୋଳନ ଉଦୟ ଓ ଏକ ଦଳ ପ୍ରଭୁତ୍ୱକୁ ହଟା ଯାଇଛି । ସେଥିରେ କଂଗ୍ରେସର ପ୍ରଭୁତ୍ୱର ପ୍ରକୃତି, ସୋସିଆଲିଷ୍ଟ ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ଭାରତୀୟ ଜନସଂଘ, ସ୍ୱତନ୍ତ୍ର ପାର୍ଟି ବିଷୟରେ ପଢ଼ାଯାଉଥିଲା । ଦଶମ ଶ୍ରେଣୀର ଲୋକତାନ୍ତ୍ରିକ ରାଜନୀତି-୨ର ବହିରୁ ଲୋକତନ୍ତ୍ର ଓ ବିବିଧତା, ଜନସଂଘର୍ଷ ଓ ଆନ୍ଦୋଳନ, ଲୋକତନ୍ତ୍ରର ଚ୍ୟାଲେଞ୍ଜ ପାଠ ମଧ୍ୟ ହଟାଇ ଦିଆଯାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଅନୁସାରେ ଏନସିଇଆରଟି ବହିକୁ ଅପଡେଟ୍ କରାଯାଉଛି । ଯେଉଁ ଜିନିଷ ଅପ୍ରାସଙ୍ଗିକ ସେଗୁଡ଼ିକୁ ହଟାଇ ଦିଆଯାଇ ନୂଆ ବିଷୟବସ୍ତୁକୁ ଯୋଡ଼ା ଯାଉଛି ।

Get real time updates directly on you device, subscribe now.