fbpx

ଭାରତର ଅଲିମ୍ପିକ୍ସ ସ୍ୱର୍ଣ୍ଣ ସହିତ ଓଡ଼ିଶାର ସମ୍ପର୍କ; ଜାଣନ୍ତୁ ପୂରା ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲିମ୍ପିକ୍ସରେ ଭାରତୀୟ ତ୍ରୀରଙ୍ଗା ଲହରାଇଥିବା ତଥା ୧୨୧ ବର୍ଷର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଆଥଲେଟିକ୍ସ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଛି । ପାନିପତରୁ ଆରମ୍ଭ ହୋଇଥିବା ଯାତ୍ରା ଟୋକିଓର ସ୍ୱର୍ଣ୍ଣରେ ଶେଷ ହୋଇଛି । ତେବେ ଦେଶର ଏହି ସୁନାପୁଅଙ୍କ ସ୍ୱର୍ଣ୍ଣ ବିଜୟର ଗାଥାରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଓଡ଼ିଶା । ନିକଟରେ ହକି ଦଳର ସଫଳତା ପରେ ଚର୍ଚ୍ଚାରେ ରହିଥିବା ଓଡ଼ିଶା ନୀରଜଙ୍କ ସ୍ୱର୍ଣ୍ଣ ବିଜୟକୁ ନେଇ ପୁନର୍ବାର ଚର୍ଚ୍ଚାରେ ରହିଛି ।

ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଦୁଇ ଦୁଇଥର ଓଡ଼ିଶା ଆସିଛନ୍ତି । ୨୦୧୭ ଏସିଆନ୍ ଚାମ୍ପିଅନଶିପ୍ ସ୍ୱର୍ଣ୍ଣ ପଦକ ସହିତ ଅଲିମ୍ପିକ୍ସ ପୂର୍ବର ପ୍ରସ୍ତୁତି ମଧ୍ୟ ଓଡ଼ିଶାରେ କରିଥିଲେ ନୀରଜ । ପଟିଆଲାର ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟରେ ଅଭ୍ୟାସ କରୁଥିବା ନୀରଜ ପ୍ରବଳ ଥଣ୍ଡା କାରଣରୁ ଅଭ୍ୟାସ କରିବାରେ ସକ୍ଷମ ହୋଇନଥିଲେ । ଫଳସ୍ୱରୂପ ୨୦୨୦ରେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ କଳିଙ୍ଗ ଷ୍ଟାଡିୟମକୁ ବାଛିଥିଲେ ନୀରଜ । ନୀରଜଙ୍କ ବ୍ୟତିତ ସାଥୀ ଜାଭେଲିନ୍ ଥ୍ରୋୟର ଶିବପାଲ ସିଂ, ଅନ୍ନୁ ରାଣୀ, ରୋହିତ ଯାଦବ ଓ ରାଜେନ୍ଦର ସିଂ କଳିଙ୍ଗ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ । ଏହା ପୂର୍ବରୁ ସମାନ ଷ୍ଟାଡିୟମରେ ୮୫.୨୩ ମିଟର ଦୂରତା ସହିତ ୨୦୧୭ରେ ଏସିଆନ ଚାମ୍ପିୟନଶିପ୍ ସ୍ୱର୍ଣ୍ଣ ମଧ୍ୟ ହାସଲ କରିଥିଲେ । ଅଭ୍ୟାସ ସମୟରେ ନୀରଜ ଅଲିମ୍ପିକ୍ସରେ ସଫଳତା ହାସଲ ନେଇ ମତ ଦେଇଥିଲେ । ଶନିବାରର ଐତିହାସିକ ପ୍ରଦର୍ଶନ ପରେ ନିଜ କଥାକୁ କାମରେ ପରିଣତ କରିଛନ୍ତି ନୀରଜ । ଉଲ୍ଲେଖଯୋଗ୍ୟ ଯେ, ଏହି ଅବସରରେ ନୀରଜଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.