fbpx

ନେହରୁ ମେମୋରିଆଲ୍ ମ୍ୟୁଜିୟମର ନା ବଦଳାଇଦେଲେ ମୋଦୀ ସରକାର, କଂଗ୍ରେସ କହିଲା ସଂକୀର୍ଣ୍ଣତା ଓ ପ୍ରତିଶୋଧର ଅନ୍ୟ ନାମ ହେଉଛନ୍ତି ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମ ବଦଳାଇ ଦିଆଯାଇଛି । ଏବେ ଏହା ପ୍ରାଇମ୍ ମିନିଷ୍ଟର ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବରେ ପରିଚିତ ହେବ । ତେବେ ଏହି ଘଟଣା ପରେ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ବର୍ଷିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ସଂକୀର୍ଣ୍ଣତା ଓ ପ୍ରତିଶୋଧର ଅନ୍ୟ ନାମ ହେଉଛନ୍ତି ମୋଦୀ ।

ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମ ବଦଳାଇ ଦିଆଯାଇଛି । ଏବେ ଏହା ପ୍ରାଇମ୍ ମିନିଷ୍ଟର ମ୍ୟୁଜିୟମ ଓ ଲାଇବ୍ରେରୀ ଭାବରେ ଜଣାଯିବ । ଏହି ଘଟଣାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି ।
ନେହରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ସୋସାଇଟିର ଏକ ବିଶେଷ ବୈଠକରେ ଏହାର ନାମ ପରିବର୍ତ୍ତନ କରାଯାଇ ପ୍ରାଇମ୍ ମିନିଷ୍ଟରର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ । ରାଜନାଥ ସିଂହ ଏହି ସୋସାିଟିର ଉପାଧ୍ୟକ୍ଷ ରହିଛନ୍ତି ।

୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିମୂର୍ତ୍ତି ପରିସରରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଏକ ସଂଗ୍ରହାଳୟ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଥିଲେ । ଏନଏମଏମଏଲ୍ କାର୍ଯ୍ୟକାରୀ ପରିଷଦ ୨୫ ନଭେମ୍ବର ୨୦୧୬ରେ ଏହି ପ୍ରସ୍ତାବକୁ ମଞ୍ଚୁରୀ ଦେଇଥିଲା । ଏବେ ଏହି ପରିଯୋଜନା ସଂପୂର୍ଣ୍ଣ ହୋଇଯାଇଛି ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଏପ୍ରିଲ ୨୧ରୁ ସର୍ବସାଧାଣଙ୍କ ଲାଗି ଖୋଲି ଦିଆଯାଇଛି । କାର୍ଯ୍ୟକାରୀ ପରିଷଦ ଅନୁଭବ କରିଥିଲା ଯେ, ଏହି ମ୍ୟୁଜିୟମର ନାମ ବର୍ତ୍ତମାନ ଗତିବିଧିକୁ ପ୍ରତିବିମ୍ବିତ କରିବା ଆବଶ୍ୟକ ଯେଉଁଥିରେ ଏକ ନୂଆ ସଂଗ୍ରହାଳୟ ବି ସାମିଲ ରହିଛି ଯାହା ସ୍ୱାଧୀନ ଭାରତରେ ଗଣତନ୍ତ୍ରର ସାମୁହିକ ଯାତ୍ରାକୁ ଦର୍ଶାଉଛି । ଏହା ସହିତ ରାଷ୍ଟ୍ର ନିର୍ମାଣରେ ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ଦର୍ଶାଉଛି । ଏହା ପୁନଃନିର୍ମିତ ଓ ନବୀନିକୃତ ନେହରୁ ସଂଗ୍ରହାଳୟ ଭବନରୁ ଆରମ୍ଭ ହୋଇଛି ଯାହା ଜବାହରଲାଲ ନେହରୁଙ୍କ ଜୀବନ ଓ ଯୋଗଦାନ ଉପରେ ଟେକନିକ୍ ରୂପରେ ଉନ୍ନତ ପ୍ରଦର୍ଶନ ସହିତ ସଂପୂର୍ଣ୍ଣ ଭାବରେ ଅପଡେଟ୍ ହୋଇଛି ।

ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ସଂକୀର୍ଣ୍ଣତା ଓ ପ୍ରତିଶୋଧର ଅନ୍ୟ ନାମ ମୋଦୀ । ସେ କହିଛନ୍ତି ୫୯ ବର୍ଷ ଧରି ନେହରୁ ସ୍ମାରକ ସଂଗ୍ରହାଳୟ ଓ ପୁସ୍ତକାଳୟ ଏକ ବୈଶ୍ୱିକ ତଥା ବୈଦ୍ଧିକ ଐତିହାସିକ ସ୍ଥଳ ଭାବରେ ବିବେଚିତ ହୋଇ ଆସୁଥିଲା । କିନ୍ତୁ ଏବେ ତାହାକୁ ମୋଦୀ ସରକାର ବଦଳାଇ ଦେଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ରାଷ୍ଟ୍ର ନିର୍ମାତା, ଭାରତର ଐତିହ୍ୟକୁ ବିକୃତ କରିବାକୁ ସବୁକିଛି କରିପାରିବେ । ନିଜ ଦେଶରେ ଅସୁରକ୍ଷାର ବୋଝ ମୁଣ୍ଡାଇ ଚାଲୁଥିବା ଏହି ବ୍ୟକ୍ତି ନିଜକୁ ସ୍ୱଘୋଷିତ ବିଶ୍ୱଗୁରୁ କହି ବୁଲୁଛନ୍ତି ।

 

Get real time updates directly on you device, subscribe now.