fbpx

ସିକିମ୍‌ରେ କାହିଁକି ଘଟିଲା ଜଳ ପ୍ରଳୟ, ଇସ୍ରୋ ବୈଜ୍ଞାନିକ କହିଲେ ବାଦଲ ଫଟା ବର୍ଷା ଏତେବଡ ପ୍ରଳୟ ଆଣିପାରିବ ନାହିଁ

ନୂଆଦିଲ୍ଲୀ: ସିକିମରେ ଆସିଥିବା ଜଳପ୍ରଳୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ବାଦଲ ଫଟା ବର୍ଷାରେ ନଦୀ ହ୍ରଦ ସବୁ ଉଛୁଳି ରାଜ୍ୟରେ ସୃଷ୍ଟି କଲା ଜଳ ପ୍ରଳୟ । ଏହି ପ୍ରଳୟରେ ୧୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୨ ଜଣ ଯବାନଙ୍କୁ ମିଶାଇ ୧୦୦ ଲୋକ ଏବେବି ନିଖୋଜ ଅଛନ୍ତି । ରାସ୍ତା ଘାଟ, ପୋଲ, ଘରଦ୍ୱାର ସବୁ କିଛି ଧୋଇ ହୋଇଯାଇଛି । ୨୨,୦୦୦ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏହି ଜଳପ୍ରଳୟକୁ ନେଇ ଜଳବାୟୁ ବିଜ୍ଞାନୀମାନେ କାରଣ ଅନୁସନ୍ଧାନରେ ଲାଗି ପଡିଥିବା ବେଳେ ଇସ୍ରୋ ଏବେ ଏହାର କାରଣ ସଂପର୍କରେ କିଛି ଅନୁମାନ ଲଗାଇଛି ।

ଇସ୍ରୋର କହିବା ଅନୁଯାୟୀ ଏହାର ଠିକ୍ ପୂର୍ବରୁ ନେପାଳରେ ଘଟିଥିଲା ଭୂମିକମ୍ପ । ରିକ୍ଟର ସେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୨ । ବୈଜ୍ଞାନିକମାନେ କହୁଛନ୍ତି ନେପାଳରେ ଘଟିଥିବା ଭୂକମ୍ପ ଫଳରେ ସିକିମର ସାଉଥ ହୋନକ ଗ୍ଲେସିଅଲ ହ୍ରଦର ପାଚେରୀ ଦୂର୍ବଳ ହୋଇ ଏପରି ପରିସ୍ଥିତି ଉପୁଜିଛି ।
୍ଣବୈଜ୍ଞାନିକମାନେ ଏବେ ଆଶଙ୍କା କରୁଛନ୍ତି ଯେ, ନେପାଳରେ ହୋଇଥିବା ଭୂକମ୍ପ କାରଣରୁ ଚୁଙ୍ଗଥାଙ୍ଗ ଡ୍ୟାମ ଉପରେ ଥିବା ସାଉଥ ହୋନକ ଗ୍ଲେସିଅଲ ହ୍ରଦର ପ୍ରାଚୀର ଦୂର୍ବଳ ହୋଇଯାଇଥିଲା ।

ଏହି ଚୁଙ୍ଗଥାଙ୍ଗ ଡ୍ୟାମ୍ ୧୨୦୦ ମେଗାୱାଟର ଏକ ଜଳ ବିଦ୍ୟୁତ ପ୍ରକଳ୍ପ ଥିଲା । ହାଇଦ୍ରାବାଦ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର (ଏନଆରଏସସି) ର ଫଟୋରୁ ଏହି ବିଷୟ ଅନୁମାନ କରାଯାଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ସାଉଥ୍ ହୋନକ ହ୍ରଦର ପୁରା କ୍ଷେତ୍ରଫଳ ୧୦୦ ହେକ୍ଟରରୁ କମ୍ ହୋଇଯାଇଛି । କିନ୍ତୁ ପ୍ରଳୟ ହେବା ପୂର୍ବରୁ ଅର୍ଥାତ୍ ୧୭ ଡିସେମ୍ବର ୨୦୨୩ରେ ସ୍ଥିତି ଏପରି ନ ଥିଲା । ଏଣୁ ଏଥିରୁ ସ୍ପଷ୍ଟ ହେଉଛି କି ହ୍ରଦ ବନ୍ଧ ଭାଙ୍ଗିବାରୁ ତିସ୍ତା ନଦୀରେ ଅଚାନକ ବନ୍ୟା ଆସି ସିକିମ୍‌ରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ବୈଜ୍ଞାନିକମାନେ ୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୧ରେ ଏହି ହ୍ରଦ ବନ୍ଧ ଭାଙ୍ଗିବା ନେଇ ଆଶଙ୍କା କରିଥିଲେ । ଏହି ହ୍ରଦ ୧୬୮ ହେକ୍ଟର ଅଞ୍ଚଳରେ ବ୍ୟାପୃତ ଥିବା ବେଳେ ଏବେ ଏହାର ୧୦୦ ହେକ୍ଟର ଅଞ୍ଚଳ ହ୍ରାସ ପାଇଛି । ଅର୍ଥାତ୍ ଏତେ ବଡ ଅଞ୍ଚଳରେ ଜମିଥିବା ପାଣି ଓ ବରଫ ତଳକୁ ଭାସି ଆସି ନଦୀ ଜଳ ସହ ମିଶି ପ୍ରଳୟ ଆଣିଛି । କେନ୍ଦ୍ର ଜଳ ଆୟୋଗ ଏ ବିଷୟରେ ସୂଚନା ପ୍ରଦାନ କରିଛି ।

ତେବେ ଇସ୍ରୋ ବୈଜ୍ଞାନିକ କହିଛନ୍ତି ନେପାଳର ଭୂକମ୍ପ ଓ ସିକିମର ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ସମ୍ବନ୍ଧକୁ ନେଇ ଅଧିକ ଯାଞ୍ଚ କରାଯାଉଛି । ବୈଜ୍ଞାନିକ କହିଛନ୍ତି କେବଳ ବାଦଲ ଫଟା ବର୍ଷା ଦ୍ୱାରା ଏତେବଡ ଘଟଣା ଘଟିବ ନାହିଁ ।

Get real time updates directly on you device, subscribe now.