fbpx

ଶପଥ ଗ୍ରହଣ ପରେ ବଡ଼ ଉପହାର: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହେବା ସହିତ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ମଧ୍ୟ ତୃତୀୟ ଥର ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ଫଳାଫଳ ଘୋଷଣା ହେବା ପରେ ଦେଶର ୪ଟି ରାଜ୍ୟରେ ନୂଆ ସରକାର ଗଠନ ହେବା ସହ ନୂଆ ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରୁ କରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର ।

ଗତ ମାର୍ଚ୍ଚ ମାସ ୭ ତାରିଖରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିବା ବେଳେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା । ଏବେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଦାବି ଆରମ୍ଭ ହୋଇଯାଇଛି । ତେବେ ଖବର ମୁତାବକ, ସିକିମ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂହ ତାମଙ୍ଗ ଗତ ୧୦ ତାରିଖରେ ଶପଥ ଗ୍ରହଣ କରିବା ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର ।

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର ପ୍ରଥମ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ଘୋଷଣା ହୋଇଛି । ଗତ ବର୍ଷ ଜୁଲାଇ ପହିଲାରୁ ଏହି ବୃଦ୍ଧି ଲାଗୁ ହେବ । ଏବେ କର୍ମଚାରୀଙ୍କ ଡିଏ ଓ ଡିଅରନେସ୍ ଆଲାଉନ୍ସ ବୃଦ୍ଧି ହୋଇ ୪୬ ପ୍ରତିଶତରେ ପହଞ୍ଚି ଯାଇଛି । ଏହି ଡିଏ ବୃଦ୍ଧି ଫଳରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ରାଜକୋଷ ଉପରେ ୧୭୪.୬ କୋଟି ଟଙ୍କାର ବ୍ୟୟ ଭାର ପଡ଼ିବ । ସୂଚନାଯୋଗ୍ୟ ଯେ, ପ୍ରେମ ସିଂହ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.