fbpx

(Video) ନୂଆ କୋଚ୍, ନୂଆ ଅଧିନାୟକ, ନୂଆ ଯାତ୍ରାରେ Team India… ୫ଟି ନୂଆ ପରିବର୍ତ୍ତନ ସହ ଫେରୁଛି ‘ଭାରତ’

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ଆଜି ଶ୍ରୀଲଙ୍କାକୁ ଭେଟିଛି ଆଉ ନୂଆ ଟିମ ଇଣ୍ଡିଆ । ନୂଆ କୋଚ୍ ଏବଂ ନୂଆ ଅଧିନାୟକଙ୍କ ସହିତ ଆହୁରି ଅନେକ ପରିବର୍ତ୍ତନ ନେଇ ମଇଦାନକୁ ଫେରୁଛି ଭାରତୀୟ ଦଳ । ଅନେକ କିଛି ନୂଆ ଜିନିଷ ଦଳରେ ସାମିଲ କରି ଭାରତ ଶ୍ରୀଲଙ୍କା ବିପକ୍ଷରେ ନୂଆ ଯାତ୍ରା ଆରମ୍ଭ କରିଛି । ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଚରିତ ଅସଲଙ୍କା । ତେବେ ଏହି ସିରିଜ ଉଭୟ ଅଧିନାୟକ ସୂର୍ଯ୍ୟକୁମାର ଏବଂ କୋଚ୍ ଗମ୍ଭୀରଙ୍କ ସହ ଦଳ ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭାରତ-ଶ୍ରୀଲଙ୍କା ଏହି ଟି-୨୦ ସିରିଜରେ ଭାରତୀୟ ଦଳରେ ୫ଟି ନୂଆ ଜିନିଷ ଦେଖିବାକୁ ମିଳିବ ।

ଉଭୟ ଦଳରେ ନୂଆ ଅଧିନାୟକ: ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜରେ ୨ ଜଣ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଟି-୨୦ ବିଶ୍ୱକପରେ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେବା ପରେ ସୂର୍ଯ୍ୟକୁମାରଙ୍କୁ ଦଳର ନେତୃତ୍ୱଭାର ପ୍ରଦାନ କରାଯାଇଛି । ସେପଟେ ଶ୍ରୀଲଙ୍କାର ଅଧିନାୟକ ୱାନିନ୍ଦୁ ହସରଙ୍ଗା ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ୱ ଚରିତ ଅସଲଙ୍କାଙ୍କୁ ମିଳିଛି ।

ଉଭୟ ଦଳରେ ନୂଆ କୋଚ୍: ଟି-୨୦ ବିଶ୍ୱକପ ସହ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଏହାପରେ ଗୌତମ ଗମ୍ଭୀର ଏହି ଦାୟିତ୍ୱ ନେବା ପରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ନୂଆ ଯାତ୍ରା ଆରମ୍ଭ କରୁଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ପୂର୍ବତନ ଓପନର ସନଥ ଜୟସୁରିୟାଙ୍କୁ ଦଳର ନୂଆ କୋଚ୍ ଭାବରେ ଦାୟିତ୍ୱ ପ୍ରଦାନ କରିଛି । ତେବେ ସେ ଆସନ୍ତା ଅଗଷ୍ଟ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।

କୋହଲି-ରୋହିତଙ୍କ ଅବସର ପରେ ପ୍ରଥମ ଶ୍ରୀଲଙ୍କା ଗସ୍ତ: ଟି-୨୦ ବିଶ୍ୱକପ ବିଜୟୀ ହେବା ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଫର୍ମାଟରୁ ବିଦାୟ ନେଇଛନ୍ତି । ତେବେ ଉଭୟ ଖେଳାଳିଙ୍କ ଅବସର ପରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଗସ୍ତ କରିଛି ।

ଗୋଟିଏ ମଇଦାନରେ ସମସ୍ତ ମ୍ୟାଚ୍: ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ସମସ୍ତ ମ୍ୟାଚ୍ ପଲ୍ଲେକେଲ ଷ୍ଟାଡିୟମରେ ଖେଳାଯିବ । ଏହା ଭାରତର ଶ୍ରୀଲଙ୍କା ଗସ୍ତରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି । ଏହାପୂର୍ବରୁ ୨୦୧୨ ମସିହାରେ ଭାରତ ଏହି ଷ୍ଟାଡିୟମରେ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳିଛି । ଏହି ମ୍ୟାଚକୁ ୩୯ ରନରେ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ ।

‘ଚମ୍ପିଆନ୍ ଇଣ୍ଡିଆ’ର ପ୍ରଥମ ଶ୍ରୀଲଙ୍କା ଗସ୍ତ: ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି-୨୦ ଚମ୍ପିଆନ୍ ଭାବରେ ଶ୍ରୀଲଙ୍କା ବିପକ୍ଷରେ ଏକାଧିକ ମ୍ୟାଚର ଟି-୨୦ ସିରିଜ ପାଇଁ ଗସ୍ତ କରିଛି । ଏହାପୂର୍ବରୁ ୨୦୦୯ ଫେବୃଆରୀ ୧୦ ତାରିଖରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ହୋଇଥିଲା ।

ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ରିଙ୍କୁ ସିଂହ, ରିୟାନ୍ ପରାଗ, ଋଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଶଲିଲ ଅହମଦ ଏବଂ ମହମ୍ମଦ ସିରାଜ ।

Get real time updates directly on you device, subscribe now.