fbpx

ବୋର୍ଡର କିଛି ଲୋକ ମୋତେ ଷଡ଼ଯନ୍ତ୍ର କରି କୋଚ ପଦରୁ ହଟାଇଛନ୍ତି, ସାଙ୍ଘାତିକ ଖୁଲାସା କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କୋଚ ପଦରୁ କିଛି ଦିନ ପୂର୍ବରୁ ରବି ଶାସ୍ତ୍ରୀ ହଟିସାରିଛନ୍ତି । ଶେଷଥର ପାଇଁ ସେ ଚଳିତ ଟି-୨୦ ବିଶ୍ୱକପରେ ନଜର ଆସିଥିଲେ । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କିଛି ଲୋକ ତାଙ୍କୁ ଏହି ପଦବୀରୁ ଷଡ଼ଯନ୍ତ୍ର କରି ହଟାଇ ଦେଇଛନ୍ତି । ସେ ଭାରତୀୟ ଦଳର କୋଚ ହୁଅନ୍ତୁ, ଏହା କିଛି ଅଧିକାରୀ ଚାହୁଁ ନଥିଲେ । ଏପରି ଏକ ବଡ଼ ଧରଣର ଖୁଲାସା କରିଛନ୍ତି ରବି ଶାସ୍ତ୍ରୀ ।

୫୯ ବର୍ଷୀୟ ଶାସ୍ତ୍ରୀ କହିଛନ୍ତି ଯେ, ଡଙ୍କନ ଫ୍ଲେଚର କୋଚ ପଦ ଛାଡ଼ିବା ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ବହୁତ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ବୋର୍ଡର କିଛି ଅଧିକାରୀ ଅନ୍ୟ ଜଣଙ୍କୁ କୋଚ ପଦରେ ବସାଇବା ସପକ୍ଷରେ ଥିବା ନେଇ ଅଭିଯୋଗ ଆଣିଛନ୍ତି ଶାସ୍ତ୍ରୀ । ସୂଚନାଯୋଗ୍ୟ ଯେ, ବିରାଟ କୋହଲି ଓ ଶାସ୍ତ୍ରୀ ଦୀର୍ଘଦିନ ଧରି ଭାରତୀୟ ଦଳକୁ ସମ୍ଭାଳି ଆସୁଥିଲେ । ତାଙ୍କ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଦୁଇଟି ଟେଷ୍ଟ ସିରିଜ ଓ ଓ ଇଂଲଣ୍ଡ ସିରିଜରେ ବିଜୟ ଲାଭ କରିଥିଲା । ବର୍ତ୍ତମାନ ଭାରତୀୟ ଦଳର କୋଚ୍ ଭାବେ ରାହୁଲ ଦ୍ରାବିଡ଼ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଇତି ମଧ୍ୟରେ ଦ୍ରାବିଡ଼ଙ୍କ ସମୟରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳି ସାରିଥିବା ବେଳେ ଆସନ୍ତା ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଅଛି । ଏହି ଗସ୍ତରେ ଭାରତ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ ।

Get real time updates directly on you device, subscribe now.