ଟି-୨୦ ବିଶ୍ୱ କପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ଦଳରୁ ବାଦ ପଡିଲେ ଟେଲର ଓ ମୁନରୋ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବାକୁ ଆଉ ଦୁଇ ମାସ ସମୟ ବାକି ରହିଛି । ଅକ୍ଟୋବରରେ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱ କପ୍ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦଳ ଘୋଷଣା ମଧ୍ୟ ଆରମ୍ଭ ହୋଇଗଲାଣି । ଏହି କ୍ରମରେ ନ୍ୟୁଜିଲାଣ୍ଡ ସର୍ବ ପ୍ରଥମେ ବିଶ୍ୱ କପ୍ ପାଇଁ ଦଳ ଘୋଷଣା କରିଛି । ଏଥିରେ ଷ୍ଟାର ବ୍ୟାଟସମ୍ୟାନ ତଥା ଟି-୨୦ ବିଶେଷଜ୍ଞ କୋଲିନ ମୁନୋରଙ୍କୁ ଦଳରେ ସାମିଲ କରାଯାଇନାହିଁ । ଏଥିରେ ମୁନରୋ ବହୁତ ନିରାଶ ପ୍ରକାଶ କରିଛନ୍ତି ।

କିୱି ବୋର୍ଡ ବିଶ୍ୱ କପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ଖେଳାଯିବ । କେନ ୱିଲିୟମସନଙ୍କୁ ଦଳର ଅଧିନାୟକ କରାଯାଇଛି । ୱିଲିୟମସନଙ୍କ ନେତୃତ୍ୱରେ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟଲ୍ ଜିତି ଇତିହାସ ରଚିଛି । ସେହିପରି ୨୦୧୯ ବିଶ୍ୱ କପ୍ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଦଳ ପହଞ୍ଚିଥିଲା ।

ଟେଲର ବାହାର

ଆଡମ ମିଲନେଙ୍କୁ କଭର ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି । ଦମଦାର ଫର୍ମରେ ଥିବା ଡେଭନ କନୱେ ଓ ମାର୍କ କ୍ୟାମ୍ପମେନଙ୍କୁ ଦଳରେ ସାମିଲ କରାଯାଇଛି । ମାର୍ଟିନ ଗୁପଟିଲ ଓ ଟିମ୍ ସେଇଫର୍ଟ ପରି ବ୍ୟାଟସମ୍ୟାନ ଦଳକୁ ମଜବୁତ ପ୍ରଦାନ କରୁଛନ୍ତି । ଅନ୍ୟପଟେ ଅନୁଭବୀ ରସ ଟେଲର, କୋଲିନ ଡି ଗ୍ରାଣ୍ଡହୋମ ଓ ଫିନ ଆଲେନଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ । ୩୪ ବର୍ଷୀୟ ଲେଗ୍ ସ୍ପିନର ଟଡ୍ ଏସ୍ଲେ , ଇଶ ସୋଢି ଓ ମିଚେଲ୍ ସାଣ୍ଟନରଙ୍କୁ ଦଳରେ ଚୟନ କରାଯାଇଛି । ଦଳ ଭାରତ ବିପକ୍ଷରେ ଟି-୨୦ସ ିରିଜ୍ ମଧ୍ୟ ଖେଳିବ ।

ଦଳରେ ୪ ଆଗ ଧାଡିର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଟିମ ସାଉଦି, କାଇଲ ଜେମିସନ ଓ ଲୋକି ଫର୍ଗ୍ୟୁସନଙ୍କୁ ସାମିଲ କରାଯାଇଛି । ସାଉଦିଙ୍କ ଛାଡି ବାକି ତିନି ଦ୍ରୁତ ବୋଲରଙ୍କ ପାଖରେ ବିଶ୍ୱ କପ୍ ପୂର୍ବରୁ ଆଇପିଏଲ ଖେଳି ନିଜର ପ୍ରସ୍ତୁତି କରିବାର ଭଲ ସୁଯୋଗ ରହିଛି । ବୋଲ୍ଟ ମୁମ୍ବାଇ ଇଣ୍ଡିଆନ୍ସ, ଜେମିସନ ଆରସିବି ଓ ଫର୍ଗ୍ୟୁସନ କେକେଆର ପାଇଁ ଖେଳୁଛନ୍ତି ।

ଟି-୨୦ ବିଶ୍ୱ କପ୍ ଓ ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ

କେନ ୱିଲିୟମସନ, ଟଡ୍ ଏସ୍ଲେ, ଟ୍ରେଣ୍ଟ ବୋଲ୍ଟ, ମାର୍କ କ୍ୟାମ୍ପମେନ, ଡେଭନ କନୱେ, ଲୋକି ଫର୍ଗ୍ୟୁସନ, ମାର୍ଟିନ ଗୁପଟିଲ, କାଇଲ ଜେମିସନ, ଡେରଲି ମିଚେଲ, ଜିମି ନିଶାନ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଟିମ୍ ସେଇଫର୍ଟ, ଇଶ ସୋଢି, ଟିମ୍ ସାଉଦି, ଆଡମ ମିଲନେ ।