fbpx

ବନ୍ୟା ଭିତରେ ଚିନ୍ତା ବଢ଼ାଉଛି ଘୂର୍ଣ୍ଣିବଳୟ: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଓ ତଦ୍‌ଜନିତ ବର୍ଷା ସ୍ଥିତିରେ ଏ ପର୍ଯ୍ୟନ୍ତ ବିଶେଷ ସୁଧାର ଆସିନାହିଁ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ସମେତ ଅନ୍ୟାନ୍ୟ ନଦୀଗୁଡ଼ିକରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଲୋକ ପାଣି ଘେରରେ ଏବେ ବି ରହି ଜଳବନ୍ଦୀ ଜୀବନ ବିତାଇବା ସହ ଯନ୍ତ୍ରଣା ଭୋଗ କରୁଛନ୍ତି । ଲୋକଙ୍କ ଜୀବନଯାତ୍ରା ବି ସ୍ୱାଭାବିକ ହୋଇପାରି ନାହିଁ । ତେବେ ବନ୍ୟା ପ୍ରଭାବିତଙ୍କ ଦୁଃଖ ଏ ପର୍ଯ୍ୟନ୍ତ ଘୁଞ୍ଚିନଥିବାବେଳେ ଉତ୍ତର- ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ଠାରୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀର ଜଳସ୍ତର ପୁଣି ଥରେ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ପରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ମିଳିଥିବା

ସୂଚନାନୁଯାୟୀ, ବୁଧବାର ସକାଳ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୪ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ସୂଚନା ଦିଆଯାଇଛି । ଏହି ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁରୂପ ଭାବେ ସୁନ୍ଦରଗଡ଼, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୮ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହିସବୁ ଜିଲ୍ଲାରେ ୭ରୁ ୧୧ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବୁଧବାର ସକାଳ ସାଢ଼େ ୮ଟାରୁ ଗୁରୁବାର ସକାଳ ସାଢ଼େ ୮ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏପରିକି ୧୨ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦୁଝର, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି । ବର୍ଷାରେ ମାଟି ରାସ୍ତା, ଚାଳଘର ଓ ମାଟିକାନ୍ଥ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ ସମସ୍ତେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷଜମି ଜଳମଗ୍ନ ହେବ ବୋଲି ଏଥିରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍‌ ପହିଲାରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟରେ ୯୪୧.୯ ମି.ମି. ବର୍ଷା ହୋଇଛି । ଏହା ସ୍ୱାଭାବିକ ବର୍ଷା ଠାରୁ ୧୫ଧ ଅଧିକ ରହିଛି ।

Get real time updates directly on you device, subscribe now.