ଭୁବନେଶ୍ୱର/କଟକ(ଭାସ୍କର ନ୍ୟୁଜ୍): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଓ କଟକରେ ଲଗାତାର ଭାବେ ବର୍ଷା ଜାରିରହିଛି । ସେହିପରି ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି । ଜଳବନ୍ଦୀ ସମସ୍ୟା ପୂର୍ବରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଥିବା ଜଣାପଡିଛି ।
ଅନ୍ୟ ପକ୍ଷରେ ପାଣିପାଗ ବିଭାଗ କେନ୍ଦ୍ର ଦ୍ୱାରା ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର । ସେହିପରି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସୋନପୁର ଭଳି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜଧାନୀ ଭୁବନେଶ୍ୱର ଓ କଟକରେ ଶନିବାର ଦିନତମାମ ବର୍ଷା ଲାଗି ରହିବା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । କେତେକ ତଳିଆ ଅଞ୍ଚଳ ଅଧିକ ବର୍ଷା ଯୋଗୁଁ ଜଳମଗ୍ନ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା । ସେହିପରି କିଛି ସ୍କୁଲ ପିଲା ବର୍ଷାରେ ଭିଜି ସ୍କୁଲ ଯାଉଥିବା ବି ଦେଖିବାକୁ ମିଳିଛି । କେତେକ ସ୍ଥାନରେ ପାଣି ଜମିରହିବା ।ଯୋଗୁଁ ଟ୍ରାଫିକ୍ ସମସ୍ୟା ବି ଉପୁଜିଥିଲା । ବିଶେଷକରି ଦିନ ମଜୁରିଆମାନେ ଦିନତମାମ ବର୍ଷା ଲାଗିରହିବା ଯୋଗୁଁ ନିଜର ଗନ୍ତବ୍ୟସ୍ଥଳକୁ ଯିବାରେ ବହୁ ଅସୁବିଧା ଭୋଗିଥିବା ପ୍ରକାଶ କରିଛନ୍ତି । ଆଗାମୀ ଚାରିଦିନ ପର୍ଯ୍ୟନ୍ତ ଏହି ଲଘୁଚାପ ବର୍ଷା ଲାଗି ରହିଲେ ଲୋକେ ଆଗକୁ ଆହୁରି ଅସୁବିଧା ଭୋଗିପାରନ୍ତି ବୋଲି କୁହାଯାଉଛି ।