fbpx
BJD SKY
BJD SKY

ଆସନ୍ତା ସପ୍ତାହରେ ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ: ତୃତୀୟ ଲହର ଆସିଲେ ଏହା ଘୁଞ୍ଚିପାରେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି । କେବଳ ରାଜ୍ୟ ନିର୍ବାଚନ କମିସନର ତାରିଖ ଘୋଷଣା କରିବା ବାକି ରହିଛି । ତେବେ ଆସନ୍ତା ୨୭ରୁ ୨୯ ତାରିଖ ମଧ୍ୟରେ ଏହି ତାରିଖ ଘୋଷଣା ହୋଇପାରେ । ପାଞ୍ଚ ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ହେବା ନେଇ ଆପାତତଃ ସ୍ଥିର ହୋଇସାରିଛି । ତେବେ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକିବେ ।

ତେବେ ନିର୍ବାଚନ ତାରିଖ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲେ ହେଁ ନିର୍ବାଚନକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟକୁ ନେଇ ଚାରିଆଡ଼େ ଭୟର ବାତାବରଣ ବୃଦ୍ଧି ପାଇଥିବା ବେଳେ ଆଜି ରାଜ୍ୟରୁ ଦୁଇଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ରାଜ୍ୟକୁ ଫେରିଥିଲେ । ଦୁହିଁଙ୍କର କଣ୍ଟାକ୍ଟରେ ୨୧ ଜଣ ରହିଥିବା ବେଳେ ସେମାନଙ୍କର ଟେଷ୍ଟିଂ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି । ଆସନ୍ତା ଜାନୁଆରୀ କିମ୍ବା ଫେବୃଆରୀରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ନିର୍ବାଚନ ଘୁଞ୍ଚିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ସୂଚନାଯୋଗ୍ୟ ଯେ, ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର, ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିଥିବା ନାଗରିକଙ୍କ ଭୋଟର ତାଲିକା ପ୍ରସ୍ତୁତ ହୋଇଛି । ରାଜ୍ୟର ୨.୬୧ କୋଟିରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

Get real time updates directly on you device, subscribe now.