fbpx

୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା: ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କଲେ NHRC

ଭୁବନେଶ୍ୱର : ଉପଯୁକ୍ତ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଅଭାବରୁ ଆଦିବାସୀ ଅଞ୍ଚଳରେ ନବଜାତ ଶିଶୁମାନଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ(ଏନଏଚଆରସି) ଚିନ୍ତା ପ୍ରକଟ କରିଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମରେ ଡିସେମ୍ବର ମାସର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଆଠ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କମିଶନ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଘଟଣାରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ ସବୁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆକ୍ସନ ଟେକେନ୍ ରିପୋର୍ଟ(ଏଟିଆର୍) ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନେଇ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । ଅଖଣ୍ଡ ତାଙ୍କ ପିଟିସନ୍ ରେ ଦର୍ଶାଇଥିଲେ ଯେ ବୋରିଗୁମ୍ମା ବ୍ଲକର କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ ଗତ ୩ ଡିସେମ୍ବରରେ ଦୁଇ ଜଣ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଥିଲା । ଜଣେ ଦୁଇମାସର ହୋଇଥିବା ବେଳେ ଆଉ ଜଣେ ଶିଶୁ ଜନ୍ମ ହେବାର ଦୁଇ ଦିନ ମଧ୍ୟରେ ହିଁ ପ୍ରାଣ ହରାଇଥିଲେ । ଏହା ପରେ ପରେ ସେହି ସପ୍ତାହରେ ଶଶାହାଣ୍ଡି ଗାଁର ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ୧୩ ତାରିଖରେ ବାଲିଗୁଡା ଓ ନାରିଗାଁରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ପୁଣି ସେହି ରାତିରେ ବିବଲିଗୁଡା ଗାଁର ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଲା । ଡାକ୍ତରଖାନାରେ ଚିକିତ୍ସା ସମୟରେ ଅଧିକାଂଶ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଠିକ୍ ସ୍ୱାସ୍ଥ୍ୟ ସେବା ନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିଟିସନକାରୀ ଦର୍ଶାଇଛନ୍ତି । ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଜରୁରୀକାଳିନୀ ସ୍ଥିତିରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ ଅକାଳରେ ଶିଶୁମାନଙ୍କର ମୃତ୍ୟୁ ହେଉଛି । ଏସବୁ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇ ନାହିଁ । ସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା କରିବାକୁ ଡିଣ୍ଡିମ ପିଟୁଥିଲେ ହେଁ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି ।

କମିଶନ ପିଟିସନ୍ ରେ ଦର୍ଶାଯାଇଥିବା ଅଭିଯୋଗଗୁଡିକୁ ବିଚାର କରି ଏ ଦିଗରେ କେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ଚାରି ସପ୍ତାହ ମଧ୍ୟରେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ଶିଶୁମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବିଶେଷଜ୍ଞମାନଙ୍କ ଦ୍ୱାର ଶିଶୁମୃତ୍ୟୁର କାରଣ, ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ତଦାରଖ ପାଇଁ କମିଶନଙ୍କ ନିଜ ଟିମ୍ ପ୍ରେରଣ ଆଦି ପାଇଁ ଶ୍ରୀ ଅଖଣ୍ଡ କମିଶନଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.