ନିର୍ଭୟା ମାମଲା, ମୁକେଶର ରାଜକ୍ଷମା ଆବେଦନ ଖାରଜ କରିବାକୁ ସୁପାରିଶ

ନୂଆଦିଲ୍ଲୀ, ୧୬ା୧(ଓଡ଼ିଶା ଭାସ୍କର): ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ସେହି ରାଜକ୍ଷମା ଆବେଦନ ଖାରଜ କରିବାକୁ ଆଜି ସୁପାରିଶ କରାଯାଇଛି । ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଆଜି ମୁକେଶର ଆବେଦନ ଉପରେ ଦିଲ୍ଲୀ କୋର୍ଟରେ ଶୁଣାଣି ହେବ । ଅପରାହ୍ନ ୨ଟାରେ ମାମଲାର ଶୁଣାଣି ହେବ ।
ନିର୍ଭୟା ମାମଲାରେ ଗତ ୧୪ତାରିଖ ଦିନ କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଥିଲା । ଏହି ଆବେଦନ ଖାରଜ ପରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିିଥିଲା । ରାଜକ୍ଷମା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଖରେ ଆବେଦନ କରାଯାଇଥିଲା । ତିହାର ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ଏହି ଆବେଦନ କରାଯାଇଥିଲା ।
୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବା ନେଇ ଧାର୍ଯ୍ୟ କରାଯାଇଛି । ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।