fbpx

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆ ବର୍ଷରେ ମିଳିବ ଏହି ଖୁସିଖବର

ନୂଆଦିଲ୍ଲୀ: ସରକାର ଓ ରିଜର୍ଭ ବ୍ୟାଙ୍କ ଆରବିଆଇ ପକ୍ଷରୁ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାର ଗ୍ରାହକଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ସରକାରଙ୍କ ଦ୍ୱାରା ନିଆଯାଉଥିବା ଏହି ପଦକ୍ଷେପ ଯୋଗୁଁ ଗ୍ରାହକଙ୍କ ସୁବିଧା ଆହୁରି ବଢ଼ୁଛି । ବର୍ତ୍ତମାନ ସରକାରଙ୍କ ଦ୍ୱାରା ଆଉ ଏକ ପ୍ଲାନିଂ କରାଯାଉଛି, ଫଳରେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଗ୍ରାହକ ଏବଂ ଆର୍ଥିକ ଅନୁଷ୍ଠାନର ଗ୍ରାହକମାନଙ୍କୁ ବଡ଼ ରିଲିଫ୍ ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ କାରବାରକୁ ସହଜ କରିବା ପାଇଁ ଏକ ୟୁନିଫର୍ମ ‘ନିଜ ଗ୍ରାହକଙ୍କୁ ଜାଣ’ (KYC) ଯୋଜନା କାର୍ଯ୍ୟକାରୀ କରିବା ପାଇଁ କାମ ଚାଲିଛି ।

ଏହାର କାମ ନୂଆ ବର୍ଷରେ ଶେଷ ହେବ ବୋଲି ଆଶା କରାଯାଉଛି । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନଗୁଡିକରେ କାରବାର ପାଇଁ ସମାନ KYC ବ୍ୟବହାର କରିବାର ବ୍ୟବସ୍ଥା ଲାଗୁ କରିବାକୁ ନିରନ୍ତର ପ୍ରୟାସ ଚାଲିଛି । ଏକ କେନ୍ଦ୍ରୀୟ ସଂଗ୍ରାହକ ଅଛି, ଯାହା କେନ୍ଦ୍ରୀୟ KYCର ଯତ୍ନ ନିଏ ବୋଲି ସେ କହିଛନ୍ତି । ଗ୍ରାହକ ଥରେ KYC ଦାଖଲ କରିବା ପରେ ଏହାର ବ୍ୟବହାର ବିଭିନ୍ନ ଆର୍ଥିକ ସଂସ୍ଥାଗୁଡ଼ିକରେ କାରବାର ପାଇଁ ଏକାଧିକ ଥର ବ୍ୟବହାର କରାଯାଇପାରିବ, ଯେଉଁଥିପାଇଁ ଏବେ କାମ ଚାଲିଛି ବୋଲି ସେ କହିଛନ୍ତି ।

ଏହି ସିଷ୍ଟମର କାର୍ଯ୍ୟାନ୍ୱୟନ ପରେ, ବିଭିନ୍ନ ଅନୁଷ୍ଠାନରେ କାରବାର ପାଇଁ ଆପଣଙ୍କୁ ପ୍ରତ୍ୟେକ ଥର ଆପଣଙ୍କର KYC ଦେବାକୁ ପଡିବ ନାହିଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଏବଂ ଆର୍ଥିକ କ୍ଷେତ୍ର ସହ ଜଡିତ ନିୟାମକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ଉଦ୍ୟମ କରାଯାଉଛି, ଯାହା ବ୍ୟବସାୟ କରିବାରେ ସହଜତା ବୃଦ୍ଧି କରିବାରେ ସହାୟକ ହେବ । ଗତ ସପ୍ତାହରେ ଆର୍ଥିକ ନିୟାମକ ଏବଂ ଅର୍ଥମନ୍ତ୍ରୀଙ୍କ ବୈଠକରେ ବ୍ୟାଙ୍କିଙ୍ଗ, ବୀମା ଏବଂ ପୁଞ୍ଜି ବଜାରରେ ସମାନ KYC ବ୍ୟବହାର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.