ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ, ସାରା ବିଶ୍ବ ଦେଖିବ ଭାରତୀୟ, କଳା, ସଂସ୍କୃତି, ଐତିହ୍ୟ

ନ୍ୟୁୟର୍କରେ ତିନିଦିନିଆ ଆୟୋଜିତ ହେବାକୁ ଯାଉଛି ଭାରତର ସଂଗୀତ, ଫ୍ୟାସନ ଓ ନୃତ୍ୟକୁ ନେଇ ନିଆରା କାର୍ଯ୍ୟକ୍ରମ 'ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର ଓ୍ବିକଏଣ୍ଡ'।

ନୂଆଦିଲ୍ଲୀ: କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନୀତା ଅମ୍ବାନୀ । NMCCର ପ୍ରତିଷ୍ଠାତା ଏବଂ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ତଥା ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ, ପୁଣି ଏକ ବଡ଼ ଘୋଷଣା କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଆସନ୍ତା ସେପ୍ଟେମ୍ବର 12 ରୁ 14 ପର୍ଯ୍ୟନ୍ତ ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ଆୟୋଜିତ ହେବାକୁ ଯାଉଛି ଭାରତର ସଂଗୀତ, ଫ୍ୟାସନ ଓ ନୃତ୍ୟକୁ ନେଇ ନିଆରା କାର୍ଯ୍ୟକ୍ରମ ‘ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର ଓ୍ବିକଏଣ୍ଡ’। ତିନିଦିନ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ଫ୍ୟାଶନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଭାରତୀୟ କଳା ପ୍ରଦର୍ଶିତ ହେବ। 2023 ମସିହାରେ ଯେତେବେଳେ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଖୋଲାଯାଇଥିଲା ସେତେବେଳେ ଏମିତି ଏକ ପରିକଳ୍ପନା କରାଯାଇଥିଲା ।

ଏହି ଅବସରରେ ନୀତା ଅମ୍ବାନୀ କଣ କହିଛନ୍ତି?

ନୀତା ଅମ୍ବାନୀ କହିଥିଲେ ଯେ, ଆମେ ଦେଖିବାକୁ ଚାହୁଁଛୁ, ଆମେ କିପରି ଆମ ଭାରତୀୟ କଳା ଏବଂ କଳାକାରମାନଙ୍କୁ ବିଶ୍ୱର ସୃଜନଶୀଳ କଳ୍ପନାର କେନ୍ଦ୍ରରେ ରଖିପାରୁଛେ। ଏଥିପାଇଁ ଲିଙ୍କନ୍ ସେଣ୍ଟର ଅପେକ୍ଷା ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ।

ସେ ଏହା ମଧ୍ୟ କହିଥିଲେ ଯେ, ପ୍ରଥମ ଥର ପାଇଁ ନ୍ୟୁୟର୍କରେ NMACC ଇଣ୍ଡିଆ ୱିକେଣ୍ଡ ଆୟୋଜନ କରାଯାଉଛି। ଯେଉଁଠାରେ ଆମ ଦେଶର କଳା, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାଶନ୍ ଏବଂ ଖାଦ୍ୟ ପ୍ରଦର୍ଶିତ କରାଯିବ। ଏହା ଭାରତର ସାଂସ୍କୃତିକ ଐତିହ୍ୟର ଏକ ବିଶ୍ୱସ୍ତରୀୟ ଉତ୍ସବ ହେବାକୁ ଯାଉଛି ।

ସଂସ୍କୃତି ଲୋକଙ୍କୁ ଏକାଠି ବାନ୍ଧିଥାଏ, ସହାନୁଭୂତି ସୃଷ୍ଟି କରେ, ଆପଣଙ୍କୁ ଅନ୍ୟ ସଂସ୍କୃତିକୁ କିପରି ସମ୍ମାନ କରିବା ମଧ୍ୟ ଶିଖାଏ। ତେବେ ଏହି ସମୟରେ ବିଶ୍ୱକୁ ଏହାର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ରହିଛି ବୋଲି ନୀତା ଅମ୍ବାନୀ ଅନୁଭବ କରୁଥିବା  କହିଛନ୍ତି ।

୫୦୦୦ ବର୍ଷର ଇତିହାସ ପ୍ରଦର୍ଶିତ ହେବ

ଏହି କାର୍ଯ୍ୟକ୍ରମରେ ଭାରତର ଇତିହାସକୁ ପ୍ରଦର୍ଶନ କରାଯିବ। ସେଥିପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାଣ୍ଡ୍ ୱେଲକମ ପାଇଁ ସ୍ବତନ୍ତ୍ର ଉଦଘାଟନ ହେବ । ତେବେ ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଫିରୋଜ ଆବାସ ଖାନ। ସେହିଭଳି କାର୍ଯ୍ୟକ୍ରମର ସଂଯୋଜନା କରିବେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର୍ ମନୀଷ ମଲୋହୋତ୍ରା।

ଏଥିରେ ୧୦୦ ରୁ ଅଧିକ କଳାକାର ସାମିଲ ହେବା ସହ, ଭାରତର ଇତିହାସକୁ ନେଇ ଆକର୍ଷଣୀୟ ସେଟ୍‌ ନିର୍ମାଣ କରାଯିବ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଭାରତୀୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ, ଶ୍ରେୟା ଘୋଷାଲ ଏବଂ ଶାସ୍ତ୍ରୀୟ ସଂଗୀତଜ୍ଞ ରିଷଭ ଶର୍ମା ଏବଂ ପ୍ରସିଦ୍ଧ ବଲିଉଡ୍ ନୃତ୍ୟ ନିର୍ଦ୍ଦେଶକ ଶିୟମକ ଡାଭର ପ୍ରମୁଖ।

ତେବେ ଲାଇଭ୍ ପ୍ରଦର୍ଶନ ପାଇଁ ଭାରତରୁ କାରିଗରମାନଙ୍କୁ ବିମାନରେ ଅଣାଯାଉଛି। ଶେଷରେ, ନୀତା ଅମ୍ବାନୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ନିଜେ ଏହି କାର୍ଯ୍ୟକ୍ରମର ପ୍ରଥମ ରାତିରେ ନୃତ୍ୟ ପରିବେଷଣ କରିବେ।