ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ଆରମ୍ଭ, ଯୋଗ ଦେଲେନି ବିହାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଆରମ୍ଭ ହୋଇଛି। ବୈଠକରେ ବିବିଧିକରଣ, ସହରାଞ୍ଚଳ ବିକାଶ ଏବଂ ଜାତୀୟ ଶିକ୍ଷା ନୀତିର କାର‌୍ୟ୍ୟନ୍ଵୟନ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପ ରାଜ୍ୟପାଳ ଯୋଗ ଦେଇଛନ୍ତି। ୨୦୧୯ ଜୁଲାଇ ପରେ ନୀତି ଆୟୋଗଙ୍କ ଏହା ପ୍ରଥମ ବୈଠକ। କରୋନା ମହାମାରୀ କାରଣରୁ ଦୁଇ ବର୍ଷ ଏହି ବୈଠକ ଭର୍ଚୁଆଲ ମୋଡରେ ହେଉଥିଲା।

ତେବେ ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେଇ ନାହାନ୍ତି। ଶନିବାର କେ ଚନ୍ଦ୍ରଶେଖର ରାଓ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଭେଦଭାବ ନୀତି କାରଣରୁ ସୈ ବୈଠକକୁ ବହିଷ୍କାର କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶ ତେବେ ଯାଇ ଶକ୍ତିଶାଳୀ ହେବ ଯେବେ ରାଜ୍ୟଗୁଡିକ ବିକାଶ କରିବ। ମଜବୁତ ଏବଂ ଆର୍ଥିକ ଭାବେ ଜୀବନ୍ତ ରାଜ୍ୟ ହିଁ ଭାରତକୁ ଶକ୍ତିଶାଳୀ ଦେଶ କରି ପାରିବ। ନୀତି ଆୟୋଗର ଏହି ବୈଠକ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ହେଉଛି।

 

ବୈଠକକୁ ବହିଷ୍କାର କରାଯିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଦୂର୍ଭାଗ୍ୟପୂର୍ଣ୍ଣ କହିଛି ନୀତି ଆୟୋଗ। ରାଓଙ୍କ ଅଭିଯୋଗକୁ ଖାରଜ କରି ନୀତି ଆୟୋଗ କହିଛି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନୀତି ଆୟୋଗର ଗଭର୍ଣ୍ଣିଂ ପରିଷଦ ବୈଠକକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବୈଠକକୁ ବର୍ଜନ କରିବା ନିଷ୍ପତ୍ତି କେଉଁ କାରଣ ପାଇଁ ନେଇଛନ୍ତି ତାହା ସ୍ପଷ୍ଟ ହୋଇନି।

ସାଧାରଣତଃ ନୀତି ଆୟୋଗଙ୍କ ବୈଠକ ପ୍ରତି ବର୍ଷ ଆୟୋଜନ ହୋଇଥାଏ। ଗତ ବର୍ଷ ଫେବୃଆରୀ ୨୦ରେ ବୈଠଖ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଇନଥିଲେ। ତେବେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଯୋଗ ଦେଇ ପାରିନଥିଲେ। ୨୦୨୦ରେ କରୋନା ମହାମାରୀ କାରଣରୁ ବୈଠକ ବସିନଥିଲା।