fbpx

ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ମେଣ୍ଟ କେତେ ପ୍ରସ୍ତୁତ: ଫ୍ରଣ୍ଟରେ ନୀତିଶ, ଧିମେଇ ଗଲାଣି କି ଦିଦିଙ୍କ ସ୍ୱର

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଥୀ ଓ ସାରଥୀମାନଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିସାରିଲେଣି । ଏଥିସହିତ ତୃଣମୂଳ ସ୍ତରରୁ ନିଜ ନିଜର ସାଙ୍ଗଠନିକ ସ୍ଥିତି ମଧ୍ୟ ସଜାଡ଼ୁଛନ୍ତି । ତେବେ ବର୍ତ୍ତମାନ କେନ୍ଦ୍ରରେ ନେତୃତ୍ୱାଧନ ଏନଡିଏ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ଏକପ୍ରକାର ଥୟ । ମୋଦୀଙ୍କ ପଥ ଓଗାଳିବା ପାଇଁ ବିରୋଧୀ ଶିବିରରେ ଏକାଧିକ ପ୍ରଧାନମନ୍ତ୍ରୀ ଆଶାୟୀଙ୍କ ଉତଥାନ ହୋଇଛି ।

ଏହି ରେସରେ ରହିଛନ୍ତି ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ମୋଦୀଙ୍କୁ ମୁକାବିଲା କରିବା ବିରୋଧୀଙ୍କ କକ୍ଷେ ସମ୍ଭବ ହେଉ ବା ନ ହେଉ ସେଇଟା ଅଲଗା କଥା । ମାତ୍ର ସମସ୍ତ ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଗୋଟିଏ ମଞ୍ଚରେ ଏକତ୍ର ହେବା ନିଶ୍ଚିତ ଭାବେ ମୁସ୍କିଲ ହୋଇ ପଡ଼ିବ ।

ପୂର୍ବରୁ ମମତା ମୋଦୀଙ୍କ ବିରୋଧରେ ରଣହୁଙ୍କାର ଦେଇ ଅନେକ ଜାତୀୟ ସ୍ତରର ନେତାଙ୍କୁ ସାକ୍ଷାତ କରିଥିଲେ । ମାତ୍ର ବର୍ତ୍ତମାନ ସେ ସାମାନ୍ୟ ଶିଥିଳ ପଡ଼ିଯାଇଛନ୍ତି । ଅନ୍ୟପକ୍ଷରେ ନିକଟରେ ବିଜେପିର ହାତ ଛାଡ଼ି ପୁନର୍ବାର ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନୀତିଶ ଏହି ମାମଲାରେ ଦିଦିଙ୍କ ଠାରୁ ଦୁଇ ପାଦ ଆଗରେ ରହିଥିବା ଦେଖାଯାଉଛି । ଏବେ ଜାତୀୟ ଗଣମାଧ୍ୟମରେ ନୀତିଶଙ୍କ ପ୍ରତ୍ୟେକ ପଦକ୍ଷେପକୁ ନେଇ ଚର୍ଚ୍ଚା ଜାରି ରହିଛି ।

ନିକଟରେ ନୀତିଶ ଏନସିପି ସୁପ୍ରିମୋ ଶରଦ ପାୱାର, କେଜ୍ରିୱାଲ, ତେଲେଙ୍ଗାନା ସିଏମ କେ. ଚନ୍ଦ୍ରଶେଖର ରାଓଙ୍କ ସହ ଭବିଷ୍ୟତ ରଣନୀତି ନେଇ ଆଲୋଚନା କରିସାରିଛନ୍ତି । ତେବେ ରାଜନୀତିରେ ଆଗକୁ କ’ଣ ଘଟିବ, କେତେବେଳେ ପାଗ ପରିବର୍ତ୍ତନ ହେବ, ତାହା ଏବେଠୁ କହିବା କାଠିକର ପାଠ । ସମୟ ଆସିଲେ ଜଣାପଡ଼ିବ କେଉଁ ପାଣି କୁଆଡ଼େ ଯାଉଛି ।

Get real time updates directly on you device, subscribe now.