fbpx

ଦେଶରେ ନୂଆ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଉପରେ ଲାଗିବ ରୋକ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବା ନେଇ ଜାରି ରହିଥିବା ରହିତାଦେଶ ବଳବତ୍ତର ରହିବ । ଦେଶରେ ଇଞ୍ଜିନିୟରିଂ ପାଠ୍ୟକମ ସମ୍ପର୍କିତ ସମୀକ୍ଷା ନେଇ ଗଠିତ ହୋଇଥିବା ବିଶେଷଜ୍ଞ କମିଟି କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦେଇଛି । ୨୦୧୮ରେ ଅଲ୍ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ଦ୍ୱାରା ଏହି କମିଟି ଗଠନ କରାଯାଇଥିଲା । କମିଟିର ପରାମର୍ଶକ୍ରମେ ସରକାର ୨୦୨୦ରୁ ୨ ବର୍ଷ ପାଇଁ ନୂଆ ଇଞ୍ଜିନିୟରିଂ କଲେଜ ତିଆରି ନେଇ ରୋକ୍ ଲଗାଇଥିଲେ । ତେବେ ଏହି ରହିତାଦେଶ ଆଗକୁ ଜାରି ରହିବା ନେଇ କମିଟି ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

କମିଟି ପକ୍ଷରୁ କୁହାଯାଇଛି ଯେ, ଦେଶରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏବେ ନୂଆ ଇଞ୍ଜିନିୟରିଂ କଳେଜ ନିର୍ମାଣ ଉପରେ କଟକଣା ଲାଗୁ କରିବା ଦରକାର । ଗୋଟିଏ ପଟେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସିଟ୍ ଖାଲି ପଡ଼ୁଥିବା ବେଳେ ଅନ୍ୟ ପଟେ ନୂଆ ଖୋଲିବାର ଆବଶ୍ୟକତା ନାହିଁ । ୨୦୧୭-୧୮ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ମୋଟ ସିଟର ମାତ୍ର ୪୯.୮ ପ୍ରତିଶତ ସିଟ୍ ପୂରଣ ହୋଇଥିଲା । ଦେଶରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଧୀରେଧୀରେ ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବାରେ ଲାଗିଛି । ଗତ ୧୦ ବର୍ଷ ମଧ୍ୟରେ ବର୍ତ୍ତମାନ କଲେଜମାନଙ୍କରେ ସିଟସଂଖ୍ୟା ସର୍ବନିମ୍ନ ସ୍ତରରେ ରହିଥିବା କମିଟି ରିପୋର୍ଟ ପ୍ରଦାନ କରିଛି । କେନ୍ଦ୍ରମନ୍ତ୍ରୀ ସଂସଦରେ ଉଳ୍ଲେଖ କରିଥିବା ତଥ୍ୟ ମୁତାବକ, ୨୦୧୨-୧୩ରୁ ୨୦୨୧-୨୨ ମଧ୍ୟରେ ଦେଶରେ ଏଆଇସିଟିଇ ଅନୁମତିପ୍ରାପ୍ତ ଇଞ୍ଜିନିୟରିଂ କଲେଜ ସଂଖ୍ୟା ୩ ଲକ୍ଷରୁ ଅଧିକ ସଂଖ୍ୟାରେ ହ୍ରାସ ପାଇଛି ।

Get real time updates directly on you device, subscribe now.