fbpx

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି, ହେପାଜତ ସମୟରେ ଇଡି ହୁଏତ କିଛି ତଥ୍ୟ ସଂଗ୍ରହ କରିଥାଇପାରେ, ଯାହା ଶୁଣାଣି ସମୟରେ କୋର୍ଟରେ ଉପସ୍ଥାପନ କରିବାକୁ ଚାହିଁପାରେ। ଏହି ଆବେଦନ ପାଇଁ ମଧ୍ୟ ଏହି ତଥ୍ୟଗୁଡିକ ଗୁରୁତ୍ୱପୂର୍ଣ୍ଣ ହେବ। ଇଡିଠାରୁ ନ ଶୁଣି ଆମେ ଏହା ଉପରେ ନିଷ୍ପତ୍ତି ନେଇ ପାରିବୁ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଇଡିଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଥିଲେ।

ସୂଚନା ଥାଉକି, ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଛି। ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାଙ୍କର ତୁରନ୍ତ ଖଲାସ ଦାବି ଓ ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। କିନ୍ତୁ ଇଡି ତୁରନ୍ତ ଶୁଣାଣିକୁ ବିରୋଧ କରିଥିଲା। ଉଭୟ ଆବେଦନ ଉପରେ ଜବାବ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥା କିଛି ସମୟ ମାଗିଥିଲା। ଇଡି ପକ୍ଷରୁ ଆଡିସିନାଲ ସଲିସିଟିର ଜେନେରାଲ ଏସ୍‌ଭି ରାଜୁ କହିଥିଲେ ଯେ ମଙ୍ଗଳବାର ଆମକୁ ଆବେଦନର କପି ମିଳିଛି। ଏହା ଉପରେ ଜବାବ ରଖିବା ପାଇଁ କିଛି ସମୟ ଦରକାର।

 

Get real time updates directly on you device, subscribe now.