ନୂଆଦିଲ୍ଲୀ: ଦେଶରେ ନୂଆ ନୂଆ ଏକ୍ସପ୍ରେସୱେ ଏବଂ ହାଇୱେ ନିର୍ମାଣ କରି ସଡ଼କ ଭିତ୍ତିଭୂମୀକୁ ସୁଦୃଢ କରୁଛନ୍ତି କେନ୍ଦ୍ର ସରକାର । ଏହାବ୍ୟତୀତ ବର୍ତ୍ତମାନର ହାଇୱେଗୁଡ଼ିକର ମରାମତି କାର୍ଯ୍ୟ କରିବା ଉପରେ ମଧ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଫୋକସ ରହିଛି । ତେବେ ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଉଛନ୍ତି । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ରାଷ୍ଟ୍ରୀୟ ରାଜମାର୍ଗର ୯,୦୦୦ ଦୁର୍ଘଟରା ସମ୍ଭାବିତ ସ୍ଥାନଗୁଡ଼ିକର ଅବସ୍ଥା ସୁଧାରିବାକୁ ପ୍ରୟାସ କରୁଛି । ଆସନ୍ତା ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଏକ ଚାଲେଞ୍ଜ ଆକାରରେ ନେଇଛନ୍ତି କେନ୍ଦ୍ର ସରକାର ।
ଇଣ୍ଟରନେସନାଲ ରେଡ ଫେଡେରେସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁରାଜ ଜୈନ କହିଛନ୍ତି ଯେ, ଖୁବଶୀଘ୍ର ସଡ଼କ ଦୁର୍ଘଟଣା ସଂଖ୍ୟାରେ ହ୍ରାସ କରିବାକୁ ପଦକ୍ଷେପ ନେଉଛି କେନ୍ଦ୍ର ସରକାର । ଗତ ୩ ବର୍ଷରେ ପ୍ରାୟ ୪,୦୦୦ ‘ବ୍ଲାକ ସ୍ପଟ’କୁ ମରାମତି କରାଯାଇଛି । ସେ କହିଛନ୍ତି ଯେ, ବର୍ତ୍ତମାନ ୯,୦୦୦ରୁ ଅଧିକ ବ୍ଲାକ ସ୍ପଟ ଚିହ୍ନଟ କରାଯାଇଥିବା ବେଳେ ମନ୍ତ୍ରାଳୟ ଦେଶର ଏହି ସମସ୍ତ ସ୍ଥାନକୁ ଠିକ କରିବା ପାଇଁ ପ୍ରସ୍ତୁତ ହୋଇଛି । ଆସନ୍ତା ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଅନୁରାଗ ଜୈନ ।
କିପରି ଚିହ୍ନଟ ହୋଇଛି ବ୍ଲାକ ସ୍ପଟ?
ଜାତୀୟ ରାଜପଥରେ ଯେଉଁ ସ୍ଥାନରେ ତିନି ବର୍ଷ ମଧ୍ୟରେ ଅତି କମରେ ପାଞ୍ଚଟି ଦୁର୍ଘଟଣା ଘଟିବା ସହ ଏଥିରେ ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ ରହିଛି, ସେଗୁଡ଼ିକ ବ୍ଲାକ ସ୍ପଟ ଭାବରେ ଚିହ୍ନଟ କରିଛି ପରିବହନ ମନ୍ତ୍ରାଳୟ । ସେ କହିଛନ୍ତି, ଖୁବଶୀଘ୍ର ଏହାକୁ ସୁଧାରିବା ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଏଥିପାଇଁ ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅନୁରାଗ ଜୈନ ।