fbpx

ପ୍ୟାକେଟ୍ ଅଟା-ଚାଉଳ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବାର ଉଦ୍ଦେଶ୍ୟ ନାହିଁ, ପରିଷଦ ସେପରି କୌଣସି ସୁପାରିଶ କରିନାହାଁନ୍ତି

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଅଟା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବାର କୌଣସି ଉଦେଶ୍ୟ ନାହିଁ । ସରକାର କହିଛନ୍ତି ଯେ, ଜିଏସ୍‌ଟି ପରିଷଦ ପକ୍ଷରୁ ଏପରି କୋଣସି ପରାମର୍ଷ କରାଯାଇନାହିଁ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ସିଂ ଚୌଧୁରୀ ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

ଲୋକସଭା ସାଂସଦ ଆଣ୍ଟୋ ଆଣ୍ଟୋନି ପଚାରିଥିଲେ ଯେ ଅଟା, ଚାଉଳ, କ୍ଷୀର ଇତ୍ୟାଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ସରକାର ବିଚାର କରୁଛନ୍ତି କି? ଏ ବାବଦରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସରକାରଙ୍କୁ ଜଣାଇବାକୁ ସେ କହିଥିଲେ । ଏହି ପ୍ରଶ୍ନର ଉତ୍ତରରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡାଲି, ଚାଉଳ, ମଇଦା, ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯେତେବେଳେ ଖୋଲା ସ୍ଥାନରେ ବିକ୍ରି ହୁଏ ଏବଂ ପ୍ରି-ପ୍ୟାକ୍ ହୋଇନଥାଏ ଏବଂ ଲେବଲ୍ ହୋଇନଥାଏ, ତେବେ ସେଗୁଡ଼ିକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଅଟେ । ଆଉ ଏହା ଉପରେ କୌଣସି ଜିଏସ୍‌ଟି ଲାଗୁ ହୁଏ ନାହିଁ । କିନ୍ତୁ ଯେତେବେଳେ ଏହି ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ଏବଂ ଲେବଲ୍ ସହିତ ବିକ୍ରି ହୁଏ, ସେମାନଙ୍କ ଉପରେ ୫ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଏ । ସେ କହିଛନ୍ତି ଯେ ସତେଜ କ୍ଷୀର ଏବଂ ପେଷ୍ଟୁରାଇଜଡ୍ କ୍ଷୀର ଜିଏସ୍‌ଟି ସମ୍ପୂର୍ଣ୍ଣ ମୁକ୍ତ ।

ପଙ୍କଜ ଚୌଧୁରୀ କହିଛନ୍ତି ଯେ ଜିଏସ୍‌ଟି ପରିଷଦର ସୁପାରିଶ ଆଧାରରେ ଜିଏସ୍‌ଟି ହାର ଏବଂ ଛାଡ ନିଷ୍ପତ୍ତି ନିଆଯାଉଛି, ଯାହା କେନ୍ଦ୍ର ତଥା ରାଜ୍ୟ ପ୍ରତିନିଧୀଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ସଂସ୍ଥା । ସେ କହିଛନ୍ତି ଯେ ଏହି ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ପରିଷଦ ପକ୍ଷରୁ କୌଣସି ସୁପାରିଶ କରାଯାଇ ନାହିଁ ।

Get real time updates directly on you device, subscribe now.