fbpx

ରାସ୍ତା ନାଁରେ ଚଳୁ କରିଦେଲେ ୯୫ ଲକ୍ଷ, କେବଳ ସୂଚନା ଫଳକରେ ହୋଇଛି ରାସ୍ତା

କେନ୍ଦୁଝର(ଓଡ଼ିଶା ଭାସ୍କର): ଲୋକଙ୍କ ଅଭିଯୋଗକୁ ଶୁଣୁନି ଜିଲ୍ଲା ପ୍ରଶାସନ । ଖଣି ଖାଦନଭରା କେନ୍ଦୁଝର ଜିଲ୍ଲାରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର। କିନ୍ତୁ ଟଙ୍କା ଉଡୁଥିବା ଏହି ଜିଲ୍ଲାରେ ନାହିଁ ପାଦଚଲା ରାସ୍ତା । କିନ୍ତୁ ରାସ୍ତା ନାଁରେ ଚଳୁ କରିଦେଲେ ୯୫ ଲକ୍ଷଟଙ୍କା । ଆଉ ସୂଚନା ଫଳକ ଲଗାଇ କାମ ସାରିଦେଲେ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ତୁର୍କୀପଦା ଗ୍ରାମବାସୀ ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୁଡ଼ା ପଞ୍ଚାୟତର ତୁର୍କୀପଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ଭିତରକୁ ପଶିବାକୁ ପକ୍କା ରାସ୍ତାଟିଏ ନାହିଁ । ଆଉ ପାଦଚଲା ରାସ୍ତା କଥା ନକହେିଲ ଭଲ । ପିଲାଏ ସ୍କୁଲ ଯାଇପାରୁ ନାହାନ୍ତି କି ଜରୁରିକାଳୀନ ମେଡିକାଲ୍ ଯିବାକୁ ହେଲେ ସାମ୍ନା କରିବାକୁ ପଡୁଛି ନାହିଁନଥିବା ସମସ୍ୟା । ଅସରାଏ ବର୍ଷା ହେଲେ ଚାରିଆଡ଼େ ଖାଲି କାଦୁଅ ପଚପଚ । ଗାଡ଼ି ତ ଯାତାୟାତ କରିପାରୁନି, ଚାଲିକି ଯିବା ବି କଷ୍ଟକର ହୋଇପଡୁଛି । ଫଳରେ ମେଡିକାଲକୁ କୌଣସି ରୋଗୀ ନେବାକୁ ହେଲେ ଲୋକେ ଖଟିଆକୁ ହିଁ ଭରସା କରୁଛନ୍ତି । ସ୍କୁଲ ଯିବା ପାଇଁ ପିଲାଏ ବଡ଼ କଲବଲ ହେଉଛନ୍ତି । କିନ୍ତୁ ରାସ୍ତା ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଜରିଆରେ ରାସ୍ତା ପାଇଁ ୯୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ତେବେ ତାହା କେବଳ ଫଳକରେ ହିଁ ରହିଯାଇଛି । ସବୁ ଟଙ୍କା ଠିକାଦାର, ଯନ୍ତ୍ରୀ, ନେତାମାନେ ମିଶି ଚଳୁ କରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁ ଚାରି ପାଖରେ ନଦୀ ଥିବାରୁ ବର୍ଷା ଆସିଲେ ନଇବଢ଼ି ଆତଙ୍କରେ ଗ୍ରାମବାସୀଙ୍କ ନିଦ ହଜିଯାଉଛି । କିନ୍ତୁ ଲୋକଙ୍କ ଦୁଃଖ ଶୁଣୁ ନାହାନ୍ତି ସରକାର । ପ୍ରକଳ୍ପ ପାଇଁ ଟଙ୍କା ଦେଉଛନ୍ତି ହେଲେ ତାହା ହେଉଛି ହରିଲୁଟ । କେବେ ସୁଧୁରିବ ଏ ରାସ୍ତା ଆଉ କେବେ ବାସ୍ତବରେ ପ୍ରକଳ୍ପ କାର୍ଯ୍ୟକରି ହେବ ବୋଲି ଲୋକେ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.