fbpx

ଏବେ ଦିଲ୍ଲୀ ହାଇକୋର୍ଟ କରିବେ ଅଗ୍ନିପଥ ଯୋଜନାର ଶୁଣାଣି, କେସ୍ ଟ୍ରାନ୍ସଫର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ସଂପର୍କିତ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଉଚ୍ଚତମ ନ୍ୟାୟାଳୟ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନଗୁଡିକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ଥାନାନ୍ତର କରିଛନ୍ତି। ଏବେ ଦିଲ୍ଲୀ ହାଇକୋର୍ଟ ଅଗ୍ନିପଥ ଯୋଜନା ଉପରେ ଶୁଣାଣି କରିବେ। ଏହି ଯୋଜନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନେକ ଯାଚିକା ଦାଖଲ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଆବେଦନ କରାଯାଇ କୁହାଯାଇଥିଲା ଯେ, ମାମଲାର ଶୁଣାଣି ସମୟରେ ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ଦାବି କରାଯାଇଥିଲା।

ହେଲେ ଆଜି ଶୁଣାଣି ସମୟରେ ସୁପ୍ରିମକୋର୍ଟ କୋର୍ଟ ରେଜିଷ୍ଟ୍ରାରଙ୍କୁ ମାମଲାକୁ ଦିଲ୍ଲୀ ହାଇକୋର୍ଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ଏଏସ ବୋପାନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଏହା ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ କେରଳ, ପଞ୍ଜାବ ଏବଂ ହରିୟାଣା, ପାଟନା ଓ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟକୁ ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ଜନସ୍ଵାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ସ୍ଥାନାନ୍ତର କରିବାକୁ କହିଛନ୍ତି।
ଜୁଲାଇ ୪ରେ ଆଇନଜୀବୀ କୁମୁଦ ଲତା ଆବେଦନକାରୀ ହର୍ଷ ଅଜୟ ସିଂହଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରିବାକୁ ଦାବି କରିଥିଲେ। ଅନ୍ୟ ଏକ ଆବେଦନକାରୀ ଏମଏଲ ଶର୍ମା ଅଗ୍ନିପଥ ଯୋଜନାର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ।

କେନ୍ଦ୍ର ସରକାର ଜୁନ ୧୪ରେ ଅଗ୍ନିପଥ ଯୋଜନାର ଘୋଷଣା କରିଥିଲେ। ଯୋଜନା ଅନୁଯାୟୀ, ୧୭ ବର୍ଷ ୫ ମାସରୁ ୨୧ ବର୍ଷ ବୟସ୍କର ଯୁବକ ଅଗ୍ନିବୀର ପାଇଁ ଆବେଦନ କରି ପାରିବେ। ଏହି ଯୋଜନାରେ ଅଗ୍ନିବୀର ଚାରି ବର୍ଷ ସେନାରେ ଚାକିରି କରିବେ। ଏଥିରୁ ୭୫ ପ୍ରତିଶତଙ୍କୁ ଅବସର ଦିଆଯିବ ଏବଂ ବାକି ୨୫ ପ୍ରତିଶତଙ୍କୁ ସେମାନଙ୍କର କୁଶଳତା ଏବଂ ଦକ୍ଷତା ଆଧାରରେ ସେନାରେ ନିୟମିତ ନିଯୁକ୍ତି ଦିଆଯିବ। ତେବେ ଏହି ଯୋଜନାକୁ ନେଇ ଅନେକ ରାଜ୍ୟରେ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା।

 

Get real time updates directly on you device, subscribe now.