ଏଣିକି ଆପଣଙ୍କ ଗାଁ’ରେ ଗଡିବ ‘ଲକ୍ଷ୍ମୀ’ ବସ୍, ଜାଣନ୍ତୁ ଏଥିରୁ ଆପଣଙ୍କୁ କେଉଁ ସବୁ ଫାଇଦା ମିଳିବ…

ଓଡିଶା ଭାସ୍କର; ଗ୍ରାମାଞ୍ଚଳ ପରିବହନ, ମହିଳା ସଶକ୍ତୀକରଣ, କୃଷି, ଜଳସେଚନ, ପାନୀୟ ଜଳ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି ଓଡିଶା ସରକାର। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ରାଜ୍ୟରେ ନିରାପଦ ଯାତ୍ରୀ ପରିବହନ ସେବା ଯୋଗାଇ ଦେବା ସକାଶେ ସରକାର ‘ଲୋକେଶନ ଆକ୍ସେସିବିଲିଟି ମଲ୍ଟିମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି।

ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କୁ ଗ୍ରାମ ପଞ୍ଚାୟତସ୍ତରରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ପରିବହନ ସେବା ପ୍ରଦାନ କରିବ ବୋଲି କୁହାଯାଇଛି। ଏହି ଯୋଜନାରେ ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ୍‌ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠସ୍ଥଳକୁ ବସ୍‌ ଯୋଗେ ସଂଯୋଗ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ସାରା ରାଜ୍ୟରେ ଲକ୍ଷ୍ମୀ ବସ୍‌ ପର୍ଯ୍ୟାୟ କ୍ରମେ ଚଳାଚଳ କରିବ ସୂଚନା ପ୍ରଦାନ କରାଯାଇଛି । ସେହିପରି ଏହି ଯୋଜନାରେ ୧ ହଜାରରୁ ଅଧିକ ବସ୍‌ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୦ ବର୍ଷ ପର୍ୟ୍ୟନ୍ତ ଏହା ଚାଲୁରହିବ। ଏହି ଯୋଜନା ସଫଳ ହେଲେ ଏହାକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡିଛି।

ସରକାରଙ୍କ ଏହି ନୂଆ ‘ଲକ୍ଷ୍ମୀ’ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ୟ୍ୟକୁ ଗୁରୁତ୍ୱ ଦେବ। ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ। ‘ଲକ୍ଷ୍ମୀ’ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ‘ଆମ ବସ୍‌‌ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ପରିଣତିସ୍ୱରୂପ ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, କୃଷି, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ୍‌‌ ହେବ।

ତେବେ ମହିଳା ସଶକ୍ତୀକରଣକୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ। ଏଥିରେ ମିଶନ ଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିସହିତ କର୍ମକ୍ଷେତ୍ର ଏବଂ ବ୍ଲକଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ। ଏହାଛଡ଼ା ଗ୍ରାମାଞ୍ଚଳର କୃଷିଜାତ ଦ୍ରବ୍ୟକୁ ଉତ୍ପାଦନସ୍ଥଳରୁ ଉପଯୁକ୍ତ ସ୍ଥାନକୁ ଉନ୍ନତ ପରିବହନ ଦ୍ୱାରା ପହଞ୍ଚାଇବା ଏହି ଯୋଜନାର ଅନ୍ୟ ବଡ଼ ଏକ ଲକ୍ଷ୍ୟ ରହିଛି। ଏହାଦ୍ୱାରା ବିଭିନ୍ନ କୃଷିଜାତ ଏବଂ ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀକୁ ଉତ୍ପାଦନକାରୀଙ୍କଠାରୁ ନିକଟବର୍ତ୍ତୀ ବଜାରକୁ ନିର୍ଦ୍ଧାରିତ ସମୟରେ ପହଞ୍ଚାଯାଇପାରିବ ବୋଲି ଜଣାଯାଇଛି। ଏହି ଯୋଜନା ଅଧୀନରେ ମଣ୍ଡି ଏବଂ ବାଣିଜ୍ୟକ କେନ୍ଦ୍ର ବିକାଶ କରାଯିବା ସହିତ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ। ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇଥିଲେ ମଧ୍ୟ ସେହି ଅନୁପାତରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳକୁ ଉତ୍ତମ ପରିବହନ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ସୂଚନା ଥାଉକି, ଲକ୍ଷ୍ମୀ ଯୋଜନା ଅଧୀନରେ ଜିଲ୍ଲା ମୁଖ୍ୟାଳୟ ସହିତ ବ୍ଲକ ଓ ଗ୍ରାମପଞ୍ଚାୟତକୁ ସଂଯୋଗ କରାଯିବ। ‘ଜଗନ୍ନାଥ ଏକ୍ସପ୍ରେସ୍‌’ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ପ୍ରଦାନ କରାଯିବ। ‘ଲକ୍ଷ୍ମୀ ଏକ୍ସପ୍ରେସ୍‌’ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର (ଆନ୍ତଃଜିଲ୍ଲା ଏବଂ ଆନ୍ତଃକ୍ଲଷ୍ଟର) ମଧ୍ୟରେ ଯୋଗାଯୋଗର ସୁବିଧା ଯୋଗାଇ ଦିଆଯିବ । ଶୁକ୍ରବାର ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରାଯାଇଛି ।