fbpx

୧୦୦୦କୁ ବୃଦ୍ଧି ହେବ ଲୋକସଭା ଆସନ!

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରହିଛି । ତେବେ ସରକାର ଏହି ସଂଖ୍ୟାକୁ ୧ ହଜାରକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୯ ମସିହାରେ ଲୋକସଭା ସିଟ୍ ୧ ହଜାରକୁ ବୃଦ୍ଧି କରିବାନେଇ ମତବ୍ୟକ୍ତ କରିଥିଲେ । ତେଣୁ ତାହାକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନ ନିର୍ମାଣ କରଯାଉଛି ବୋଲି କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ କହିଛନ୍ତି ।

ତେବେ ମୋଟ ୫୪୩ଟି ଆସନ ମଧ୍ୟରୁ ୫୩୦ ଆସନ ରାଜ୍ୟଗୁଡ଼ିକ ପାଇଁ ଓ ଅବଶିଷ୍ଟ ୧୩ ଆସନ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ରହିଛି । ବର୍ତ୍ତମାନ ଦେଶର ଜନସଂଖ୍ୟା ୧୪୦ କୋଟି ପାଖାପାଖି ହୋଇଥିବାରୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାମାନଙ୍କରେ ଜନପ୍ରତିନିଧିଙ୍କର ସଂଖ୍ୟା ବୃଦ୍ଧି ହେବା ଆବଶ୍ୟକ ବୋଲି ଶ୍ରୀ ମୁଖାର୍ଜୀ ସେତେବେଳେ ମତ ଦେଇଥିଲେ । ତେବେ ମନୀଷ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଷୟରେ କିଛି ସାଂସଦ ବନ୍ଧୁଙ୍କ ଠାରୁ ଖବର ପାଇଥିବା ନେଇ କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଲୋକସଭାରେ ମହିଳାଙ୍କ ସକାଶେ ଏକତୃତୀୟାଂଶ ଆସନ ସଂରକ୍ଷଣ ପ୍ରସ୍ତାବ କାର୍ଯ୍ୟକାରୀ ହୋଇନାହିଁ । ଲୋକସଭା ଆସନ ସଂଖ୍ୟା ବୃଦ୍ଧି ହେଲେ ମହିଳାଙ୍କ ପାଇଁ କେତେ ଆସନ ସଂରକ୍ଷିତ ରହିବ, ତାହା ଆଲୋଚନାର ବିଷୟ । ଦେଶ ପାଇଁ ଆଇନ ପ୍ରଣୟନ କରିବା ସାଂସଦମାନଙ୍କର କାର୍ଯ୍ୟ ବୋଲି ସମ୍ବିଧାନର ଦଶମ ଅନୁଚ୍ଛେଦରେ ଉଲ୍ଲେଖ କରାଯାଇଛି । ତେବେ ବିନା ବିଚାର ବିମର୍ଶରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ଅନୁଚିତ ବୋଲି ମନୀଷ କହିଛନ୍ତି । ସେହିପରି କେଉଁ ଆଧାରରେ ଆସନ ସଂଖ୍ୟା ବୃଦ୍ଧି କରାଯିବ, ସେନେଇ ସରକାର ସ୍ପଷ୍ଟିକରଣ ଦେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ କାର୍ତ୍ତି ଚିଦାମ୍ବରମ୍ ।

Get real time updates directly on you device, subscribe now.