fbpx

ପୁଣି ବଦଳିବ ଆପଣଙ୍କ ଗାଡ଼ିର ନମ୍ବର ପ୍ଲେଟ? ଅକାମୀ ହୋଇପାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ନୂଆ ନିୟମ ଲାଗୁ କରିବାକୁ ଯାଉଛି NHAI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନସାଧାରଣ ସେମାନଙ୍କର ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ତେବେ ଗାଡ଼ିର ଶେଷ ଅଙ୍କ ୦ ଠାରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ଲଗାଇବା ଶେଷ ତାରିଖ ଅଲଗା ଅଲଗା ରହିଥିଲା । ପରବର୍ତ୍ତୀ ସମୟରେ ନମ୍ବର ପ୍ଲେଟକୁ ନେଇ ବିଭିନ୍ନ ସମସ୍ୟା ଉପୁଜିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା ।

ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏହା ମଧ୍ୟରେ ରାଜ୍ୟ ସରକାର ନମ୍ବର ପ୍ଲେଟ ଲଗାଇବାର ଅନ୍ତିମ ତାରିଖ ଏକାଧିକ ଥର ବୃଦ୍ଧି କରିସାରିଛନ୍ତି । ଆସନ୍ତା ଫେବୃଆରୀ ମାସ ୨୮ ତାରିଖରେ ଗାଡ଼ିର ଶେଷ ନମ୍ବର ୦ ଓ ୯ର ଅବଧି ସମାପ୍ତ ହେଉଛି । ହକି ବିଶ୍ୱକପରେ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ ଏବେ ବହୁ ଗାଡ଼ି ମାଲିକ ନୂଆ ନମ୍ବର ପ୍ଲେଟ୍ ଲଗାଇ ସାରିଥିବା ବେଳେ ଆଉ କିଛି ଏଥିପାଇଁ ବୁକିଂ କରିସାରଛନ୍ତି । ତେବେ ଏହା ମଧ୍ୟରେ ଜନତାଙ୍କ ପାଇଁ ଆସିପାରେ ପୁଣି ଏକ ବଡ଼ ବିପଦ । ଆଗାମୀ କିଛି ମାସ ମଧ୍ୟରେ ଏହି ନମ୍ବର ପ୍ଲେଟ୍ ଅକାମୀ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଉନ୍ନତ ଜ୍ଞାନ କୌଶଳ ସ୍ୱୟଂଚାଳିତ ନମ୍ବର ପ୍ଲେଟ ଚିହ୍ନଟ (ଏଏନପିଆର) ବ୍ୟବହାର କରିବାକୁ ଯାଉଛି । ଏହାଫଳରେ ନମ୍ବର ପ୍ଲେଟ ବଦଳିଯିବ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଲାଣି ।

ପ୍ରକୃତ କଥା ହେଉଛି, ଟୋଲ ଆଦାୟ ସିଷ୍ଟମକୁ ସହଜ କରିବାକୁ ଚାହୁଁଛି ଏନଏଚଏଆଇ । ଏଏନପିଆର ଉପରେ ରିସର୍ଚ୍ଚ କରିବା ପାଇଁ ଏକ ଆଡଭାଇଜରୀ ଏଜେନ୍ସି ନିଯୁକ୍ତ କରାଯାଇଛି । ନିକଟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବାବଦରେ ରାଜ୍ୟସଭାରେ ଉତ୍ତର ଦେଇଥିଲେ । ତେବେ କେନ୍ଦ୍ର ସରକାର ଯଦି ଏହି ନିଷ୍ପତ୍ତି ଗ୍ରହଣ କରନ୍ତି, ତେବେ ଜନସାଧାରଣଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ । କେନ୍ଦ୍ର ସରକାର ଜାତୀୟ ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଲଗାଇବାକୁ ଚିନ୍ତା କରୁଛନ୍ତି । ଫଳରେ ଏହି କ୍ୟାମେରା ନମ୍ବର ପ୍ଲେଟକୁ ସ୍କାନ କରିବା ପରେ ଟୋଲ ଅର୍ଥ ଆପଣଙ୍କ ଆକାଉଣ୍ଟରୁ କଟିଯିବ । ତେଣୁ ଆଗାମୀ ଦିନରେ ନମ୍ବର ପ୍ଲେଟ ବଦଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

Get real time updates directly on you device, subscribe now.