OPSC ପକ୍ଷରୁ ସୂଚନା: OCS-୨୦୨୨ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ସେବା ପରୀକ୍ଷା- ୨୦୨୨କୁ ଆସିଛି ଏକ ବଡ଼ ଅପଡେଟ୍ । ଓସିଏସ-୨୦୨୨ର ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃଆରୀ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ମୁଖ୍ୟ ପରୀକ୍ଷା ଆୟୋଜିତ ହେବ । ଫେବୃଆରୀ ୨୭, ୨୯ ଓ ମାର୍ଚ୍ଚ ୨ ତାରିଖକୁ ବାଦ୍ ଦେଇ ଅନ୍ୟ ଦିନମାନଙ୍କରେ ପରୀକ୍ଷା କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସରେ ଓସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା । ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ଗତବର୍ଷ ଅକ୍ଟୋବର ମାସ ୧୫ ତାରିଖରେ ଓସିଏସ-୨୦୨୨ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୧୦ ହଜାରରୁ ଅଧିକ ଆବେଦନକାରୀ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ଗତ ୨୦୨୨ ମସିହା ଡିସେମ୍ବର ମାସରେ ଓସିଏସ-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ଏ ଓ ଗ୍ରୁପ-ବି’ର ମୋଟ ୬୮୩ଟି ପଦ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ।