fbpx

ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା ପିଲାମାନେ ଶିଖିବେ ଓଡ଼ିଆ ଭାଷା: ରାଜ୍ୟ ସଂସ୍କୃତି ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ନୂଆ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି । ରାଜ୍ୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ଓଡ଼ିଶାର ମାଣ୍ଡିଆ ଆଜି ବିଶ୍ୱ ଦରବାରେ ପହଞ୍ଚିଥିବା ବେଳେ କ୍ରମାଗତ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି ଓଡ଼ିଶା ଆଜି ବିଶ୍ୱର ହକି ହବ୍ ଭାବେ ପରିଚିତ ହୋଇପାରିଛି ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଖୁବଶୀଘ୍ର ବିଦେଶରେ ରହୁଥିବା ବା ବିଦେଶରେ ଜନ୍ମଲାଭ କରିଥିବା ଓଡ଼ିଆ ପିଲାଙ୍କ ପାଇଁ ଏକ ନୂଆ ପାଠ୍ୟକ୍ରମ ଆରମ୍ଭ ହେବ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଏହି କୋର୍ସ ଆରମ୍ଭ ହେବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ପିଲାମାନେ ଓଡ଼ିଆ ଭାଷା ଭଲ ଭାବେ ଶିଖି ପାରିବେ । ଏନେଇ ରାଜ୍ୟ ସଂସ୍କୃତି ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ଅର୍ଥ ରୋଜଗାର ପାଇଁ ବିଦେଶକୁ ଯାଉଥିବା ଲୋକମାନେ ଧୀରେଧୀରେ ସେଠାରେ ପରିବାର ବସାଇଥାନ୍ତି । ଏହାଫଳରେ ସେମାନଙ୍କର ପିଲାମାନେ ଧୀରେଧୀରେ ଓଡ଼ିଆ ଭାଷାକୁ ଭୁଲିଯାଇଥାନ୍ତି । ଏପରିକି ଦୈନନ୍ଦିନ ଜୀବନରେ କଥାବାର୍ତ୍ତା ବେଳେ ଛୋଟପିଲାମାନେ ସେମାନଙ୍କର ପରିବାର ସଦସ୍ୟଙ୍କ ସହିତ ବିଦେଶୀ ଭାଷାରେ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି । ତେବେ ଏହି ପ୍ରକ୍ରିୟା ଜାରି ରହିବା ଫଳରେ କିଛି ପିଢ଼ି ପରେ ସେମାନେ ଓଡ଼ିଆ ଭାଷା, ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥାନ୍ତି ।

ତେଣୁ ରାଜ୍ୟ ଓ ଦେଶ ବାହାରେ ରହୁଥିବା ପିଲାମାନେ କିପରି ଓଡ଼ିଆ ଭାଷା ଶିଖି ପାରିବେ ସେଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଏକ ୬ ମାସିଆ ଅନଲାଇନ୍ କୋର୍ସ ପ୍ରସ୍ତୁତ କରାଯିବ । କୋର୍ସ ସରିବା ପରେ ପରୀକ୍ଷା କରାଯାଇ ପିଲାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ । ଫଳରେ ଓଡ଼ିଆ ପିଲାଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଭଲପାଇବା ବଢ଼ିବା ସହିତ ଦେଶ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ଓ ପ୍ରସାର ହୋଇ ପାରିବ ।

Get real time updates directly on you device, subscribe now.