fbpx

କେରଳରୁ ଆସିଲା ଦୁଃଖ ଖବର: ୱାୟନାଡରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ମୃତ, ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେରଳରୁ ଆସିଛି ଏକ ବଡ଼ ଦୁଃଖ ଖବର । ୱାୟନାଡରେ ହୋଇଥିବା ଭୂସ୍ଖଳରେ ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୫୦ ଟପିଥିବା ବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ନିଖୋଜ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡାକ୍ତର ଓ ବିଷ୍ଣୁ ପ୍ରସାଦ ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ୱାୟନାଡରେ ନିଖୋଜ ହୋଇଯାଇଥିଲେ । ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ସ୍ୱାଧୀନ ନିଖୋଜ ରହିଥିବା ଜଣାପଡ଼ିଛି । ବିଷ୍ଣୁଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ନେଇ ସେମାନଙ୍କ ଫେରିବା ବାଟକୁ ତାଙ୍କର ପରିବାରବର୍ଗ ଚାହିଁ ରହିଥିଲେ । ଏନେଇ ଉଭୟ ପରିବାର ରାଜ୍ୟ ସରକାରଙ୍କୁ ଗୁହାରି କରିଥିବା ବେଳେ ସେମାନେ ସକୁଶଳେ ଫେରି ଆସିବେ ବୋଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଶ୍ୱାସନା ଦେଇଥିଲେ । ଦୁଇ ଡାକ୍ତରଙ୍କୁ ଠାବ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହିତ ଏନେଇ କେରଳ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ’ରେ ପୋଷ୍ଟ ଶେୟାର କରାଯାଇଥିଲା ।

ଗତ ୨୬ ତାରିଖରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କର ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ, ଡାକ୍ତର ସ୍ୱାଧୀନ ଓ ତାଙ୍କ ପତ୍ନୀ ସ୍ୱୀକୃଥି ମହାପାତ୍ର ବେଙ୍ଗାଲୁରୁ ବୁଲିବାକୁ ଯାଇଥିଲେ । ସେମାନେ ସେଠାରୁ କେରଳ ଯାଇ ୱାୟନାଡର ଲିନରା ଭିଲ୍ଲାରେ ରହିଥିଲେ । ଦୁର୍ଭାଗ୍ୟକୁ ଗତ ୨୯ ତାରିଖ ରାତିେରେ ମୋପ୍ପାଡି, ମୁବାଡକାଇ ଚୁରାଲ ମାଲା ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପରେ ମାଟି ମିଶା ବନ୍ୟା ପାରି ଜନବସତି ଆଡ଼କୁ ମାଡ଼ି ଆସିଥିଲା । ଫଳରେ ସମସ୍ତେ ପାଣିର ସ୍ରୋତରେ ଭାସି ଯାଇଥିଲେ । ତେବେ ପ୍ରିୟଦର୍ଶିନୀ ଓ ସ୍ୱୀକୃତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.