fbpx

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ: ଦେଖିବାକୁ ମିଳିବ ଉଭୟ ସରକାର ଓ ବିରୋଧୀଙ୍କ ହାଇଡ୍ରାମା

ଓଡ଼ିଶା ଭାସ୍କର: ଆସନ୍ତାକାଲିଠୁ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସନ୍ତା ୮ତାରିଖରେ ଗୃହରେ ଆଗତ କରିବେ। ତେବେ ଅଧିବେଶନକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ବସିଛି। ଗୃହକୁ ସପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି। କିନ୍ତୁ ନିର୍ବାଚନ ପାଇଁ ଏଥିରେ ଉଭୟ ସରକାର ଓ ବିରୋଧୀଙ୍କ ହାଇଡ୍ରାମା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବିରୋଧୀ ଓ ଶାସକ ଦଳ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ସଜବାଜ ଆରମ୍ଭ ହୋଇଯାଇଛି।

ସୂଚନା ଥାଉକି, ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବ। ଆଜି ବିଧାନସଭା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଇନ୍‌ଚାର୍ଜ ଅରୁଣ ଷଡଙ୍ଗୀ। ବଜେଟ ଅଧିବେଶନ ସମୟରେ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏସ୍‌ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍‌ ସ୍କ୍ୱାଡ, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ସେପଟେ ସୁରକ୍ଷା ଦାୟତ୍ୱରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟରଙ୍କ ସହ ୧୦୦ ରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ବିଧାନସଭା ଚାରି ପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ରୁଫ୍‌ ଟଫ୍‌ ପୁଲିସ ରହିବେ।

ଅନ୍ୟପଟେ ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି। ସେହିପରି ଆନ୍ଦୋଳନକାରୀଙ୍କଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ର ମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌

Get real time updates directly on you device, subscribe now.