fbpx

ଜାତୀୟ ସିନିୟର ମହିଳା ହକି: କର୍ଣ୍ଣାଟକକୁ ହରାଇ ଚାମ୍ପିୟନ ହେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମହିଳା ହକି ଟିମ୍ ରାଜ୍ୟ ପାଇଁ ଗୌରବ ଆଣିଛି । ଜାତୀୟ ସିନିୟର ମହିଳା ହକିରେ ଚାମ୍ପିୟନ ଆଖ୍ୟା ଅର୍ଜନ କରି ଇତିହାସ ରଚିଛି ଓଡ଼ିଶା । ୧୨ତମ ହକି ଇଣ୍ଡିଆ ସିନିୟର ମହିଳା ନ୍ୟାସନାଲ ଚାମ୍ପିୟନସିପରେ ଓଡ଼ିଶା କର୍ଣ୍ଣାଟକକୁ ୨-୦ ଗୋଲରେ ପରାସ୍ତ କରି ସଫଳତା ଅର୍ଜନ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭୋପାଳ, ମଧ୍ୟପ୍ରଦେଶ ଆଦି ଟିମ୍ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପୂର୍ବରୁ ଓଡ଼ିଶା ଝାଡ଼ଖଣ୍ଡକୁ ସେମିଫାଇନାଲରେ ୫-୦ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ସେହିପରି ଅନ୍ୟ ଏକ ସେମି ମୁକାବିଲାରେ କର୍ଣ୍ଣାଟକ ହରିୟାଣାକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ଓଡ଼ିଶା ଓ କର୍ଣ୍ଣାଟକ ଫାଇନାଲ ମ୍ୟାଚରେ ଉଭୟ ପକ୍ଷର ଖେଳାଳିମାନେ ଏକାଧିକ ଗୋଲ ସୁଯୋଗ ହାତଛଡ଼ା କରିଥିଲେ। ହାଫ୍ ଟାଇମ୍ ପର୍ଯ୍ୟନ୍ତ କୌଣସି ଦଳ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲେ ।

ତୃତୀୟ କ୍ୱାର୍ଟର ସମୟରେ ଓଡ଼ିଶା ପକ୍ଷରୁ ପୁନମ ବର୍ଲା ପ୍ରଥମ ଗୋଲ ସ୍କୋର କରିଥିଲେ । ଶେଷ ମୁହୂର୍ତ୍ତରେ ଅଶିମ କାଞ୍ଚନ ବର୍ଲା ଗୋଲ ସ୍କୋର କରି ଓଡ଼ିଶାକୁ ଚାମ୍ପିୟନ କରାଇଥିଲେ । ତେବେ କର୍ଣ୍ଣାଟକ ପରି ଏକ ଟପ୍ ଟିମ୍ ବିପକ୍ଷରେ ଖେଳିବା ଓଡ଼ିଶା ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ମ୍ୟାଚର ପ୍ରାରମ୍ଭରେ କିଛି ଗୋଲ ସୁଯୋଗ ହାତଛଡ଼ା ହୋଇଥିଲା ବୋଲି କହିଛନ୍ତି ଦଳର କୋଚ ଏନଗାର ଜୋସେଫ ମାସକାରେନହାସ । ବିଜୟ ପରେ ବିଭିନ୍ନ ମହଲରୁ ମହିଳା ହକି ଟିମକୁ ଅଭିନନ୍ଦନର ସୁଅ ଛୁଟିଛି ।

Get real time updates directly on you device, subscribe now.