ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ଆଇନ୍ ପରାମର୍ଶଦାତା ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଣ୍ଟର ଫର ଜୁଡିସିଆଲ ଆର୍କାଇଭସ ଅଫ୍ ଓଡ଼ିଶା, କଟକରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଡେପୁଟେସନରେ ଥିବା ଇନ-ସର୍ଭିସ ପ୍ରଫେସର ଓ ଅବସରପ୍ରାପ୍ତ ପ୍ରଫେସରମାନେ ଏହି ପଦରେ ଆବେଦନ କରିପାରିବେ । ଇନ-ସର୍ଭିସ ପ୍ରଫେସରଙ୍କୁ ଦୁଇ ବର୍ଷର ପିରିୟଡ଼ ପାଇଁ ଡେପୁଟେସନ ବେସିସରେ ନିଯୁକ୍ତି ଦିଆଯିବ । ସେହିପରି ଅବସରପ୍ରାପ୍ତ ପ୍ରଫେସରଙ୍କୁ ସମ୍ପୂର୍ଣ୍ଣଭ ଭାବେ ଅସ୍ଥାୟୀ ଓ ଚୁକ୍ତିଭିତ୍ତିରେ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯିବ ।
ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ ସୁଦ୍ଧା ୪୫ ବର୍ଷରୁ କମ୍ ହୋଇ ନଥିବା ଓ ୬୮ ବର୍ଷରୁ ଅଧିକ ହୋଇନଥିବ । ଇନ-ସର୍ଭିସ୍ ପ୍ରଫେସର କିମ୍ବା ରିଟାୟାର୍ଡ ପ୍ରଫେସର ଆଇନରେ ପୋଷ୍ଟ-ଗ୍ରାଜୁଏଟ କରିଥିବେ ଓ କୌଣସି ସ୍ୱୀକୃତିପ୍ରାପ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷାଦାନ କ୍ଷେତ୍ରରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ହାସଲ କରିଥିବେ । ପିଏଚ.ଡି ଡିଗ୍ରୀ ସହିତ ଭାରତୀୟ ସମ୍ବିଧାନ / ଲେଗାଲ ହିଷ୍ଟ୍ରିରେ ଥେସିସ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । ସେହିପରି ଗ୍ରାଜୁଏସନ ସ୍ତରରେ ଇତିହାସ ବିଷୟ ରଖିଥିବା ପ୍ରାର୍ଥୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରାର୍ଥୀଙ୍କୁ ମାସିକ ୧ ଲକ୍ଷ ଟଙ୍କା ବେତଦନ ପ୍ରଦାନ କରାଯିବ । ଆସନ୍ତା ମାସ ୧୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାର୍ଥୀମାନେ ସ୍ପିଡ୍ ପୋଷ୍ଟ କିମ୍ବା ପ୍ରଦତ୍ତ ଇ-ମେଲ୍ ମାଧ୍ୟମରେ ଆବେଦନ କରିପାରିବେ ।
ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/260/