fbpx

ଓଡ଼ିଶାରେ ବଜ୍ରପାତ ନେଉଛି ମୁଣ୍ଡ: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୮୮୧ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୫ ଏପ୍ରିଲ୍ ପହିଲାରୁ ବଜ୍ରପାତକୁ ଷ୍ଟେଟ୍‌ ସ୍ପେସିଫିକ୍ ଡିଜାଷ୍ଟର ଭାବେ ଘୋଷଣା କରିଛନ୍ତି । ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୮୮୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏଥିନିମନ୍ତେ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୩୫ କୋଟି ୨୪ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ବିଧାନସଭାରେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।

ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବଜ୍ରପାତ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ବଜ୍ରପାତର ଆଗୁଆ ସୂଚନା ଜାଣିବା ପାଇଁ ଓ.ଏସ୍‌.ଡି.ଏମ୍‌.ଏ. ପକ୍ଷରୁ ଆନ୍ତର୍ଜାତୀୟ ସଂସ୍ଥା ଆର୍ଥ ନେଟୱାର୍କ ସହ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।

ରାଜ୍ୟର ୮ଟି ସ୍ଥାନ ଯଥା- କେନ୍ଦୁଝର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ୱର, କଟକ ଓ ପାଣିକୋଇଲିଠାରେ ଲାଇଟିନିଙ୍ଗ୍ ଡିଟେକସନ୍ ସେନ୍‌ସର ସ୍ଥାପନ କରାଯାଇଛି । ଏହାଛଡ଼ା ଆର୍ଥ ନେଟୱାର୍କ ଦ୍ୱାରା ସ୍ଥାପିତ ପାରିପାଶ୍ୱିର୍କ ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଥିବା ଡିଟେକସନ୍ ସେନ୍‌ସର ମାଧ୍ୟମରେ ରାଜ୍ୟରେ ବଜ୍ରପାତ ହେବା ସ୍ଥାନର ସୂଚନା ମିଳିପାରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.