କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେନି ଓଡିଶା ନେତା; ନେତାଙ୍କ ମନ ବୁଝାଇବାକୁ ଓଡିଶା ଆସୁଛନ୍ତି ରାହୁଲ!

ଓଡିଶା ଭାସ୍କର; ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଚଳିତ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବରରେ ପ୍ରିୟଙ୍କା ଗାନ୍ଧୀଙ୍କର ମଧ୍ୟ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ଓଡିଶାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ସେ ଅକ୍ଟୋବର ଆସିବାକୁ ସହମତି ପ୍ରକାଶ କରିଛନ୍ତି । ୪ ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ । ଏହା ସହ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ରାହୁଲଙ୍କ ସହ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି । ସେହିପରି ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୁଡାନ୍ତ ତାରିଖ ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି । ଓଡ଼ିଶାରେ ଆଗୁଆ ନିର୍ବାଚନ ହେବା ନେଇ ବର୍ତମାନ ଖୁବ ଚର୍ଚ୍ଚା ହେଉଛି ଯାହାକୁ ନେଇ ରାଜ୍ୟ କଂଗ୍ରେସ ତା’ର ଶିବିର ସଜାଡ଼ିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଏହି ପ୍ରୟାସ କ୍ରମେ ଦଳର ହାଇକମାଣ୍ଡ ଓଡିଶା ଆସି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି ।

ସେପଟେ ପ୍ରମୁଖ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ କଂଗ୍ରେସ ନିକଟରେ ତା’ର କାର୍ୟ୍ୟକାରୀ କମିଟି ଘୋଷଣା କରିଛି । ଏହି ନୂଆ କମିଟି ତାଲିକାରେ ମୋଟ ୩୯ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି । ପୂର୍ବ କମିଟିକୁ ଲକ୍ଷ୍ୟ କଲେ ନୂଆ କମିଟିରେ ସେଭଳି କିଛି ପରିବର୍ତ୍ତନ ନାହିଁ । ବହୁ ପୁରୁଣା ସଦସ୍ୟ ପୁଣିଥରେ ନୂଆ କମିଟିରେ ବି ସ୍ଥାନ ପାଇଛନ୍ତି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ, ଶଶୀ ଥରୁର ଓ ସଚିନ ପାଇଲଟଙ୍କ ଭଳି ପ୍ରମୁଖ ନେତାଙ୍କ ନାମ ତାଲିକାରେ ରହିଛି । ହେଲେ ଓଡିଶାର ଜଣେ ବି ହେଲେ ନେତାଙ୍କ ନାମ ତାଲିକାରେ ରହି ନାହିଁ । କେବଳ ୧୪ ଜଣିଆ ପ୍ରଭାରୀ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ଦିଆଯାଇଛି ।

ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା କଂଗ୍ରେସକୁ ଏଆଇସିସି ଏକ ପ୍ରକାରର ଅଣଦେଖା କରିଛି । ଯାହାକୁ ନେଇ ତାଲିକା ଘୋଷଣା ହେବା ପରେ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । ଓଡ଼ିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଥିବା ଅଭିଯୋଗ ଆଣିବା ସହ ଏନେଇ ଖଡଗେଙ୍କୁ ଚିଠି ଲେଖିବେ ବୋଲି କହିଥିଲେ ବିଧାୟକ ସୁର ରାଉତରାୟ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ନିଜର ପ୍ରତିକ୍ରିୟା ରଖିଥିଲେ । ସିଡବ୍ଲୁସିରେ ଓଡିଶା ନେତାଙ୍କ ବୋଧେ ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । ସେହିପରି ଦିଲ୍ଲୀ ଯାଇ ୨-୩ ଜଣ ନେତାଙ୍କୁ ସ୍ଥାନ ଦେବାକୁ ପ୍ରସ୍ତାବ ଦେବେ ବୋଲି କହିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଚର୍ଚ୍ଚା ହେଉଛି କାର୍ଯ୍ୟକାରିଣୀ କମିଟିରେ ଓଡିଶା ନେତାଙ୍କ ନାମ ନଥିବାରୁ ଦଳରେ ଅନେକ ଅସନ୍ତୋଷ ଦେଖାଦେଇଛି । ଆଉ ଯାହାକୁ ନେଇ ରାହୁଲ ଓଡିଶା ଆସି ଦଳୀୟ ନେତାଙ୍କ ମନ ବୁଝାଇବା ସହ କର୍ମୀଙ୍କ ଭିତରେ ଉତ୍ସାହ ବଢ଼ାଇବେ ।