ଡିସେମ୍ବର ୭ରୁ ଆରମ୍ଭ ହେବ କନଷ୍ଟେବଳ / ସିପାହୀ ଅନଲାଇନ୍ ପରୀକ୍ଷା: ଓଡ଼ିଶା ପୋଲିସ ପକ୍ଷରୁ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା କନଷ୍ଟେବଳ / ସିପାହୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅକ୍ଟୋବର ୩୦ ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ପରବର୍ତ୍ତୀ ସମୟରେ ନଭେମ୍ବର ୧୫ ପର୍ଯ୍ୟନ୍ତ ଉକ୍ତ ସମୟସୀମାକୁ ବୃଦ୍ଧି କରାଯାଇଥିଲା । ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଚୟନ ବୋର୍ଡ, ଓଡ଼ିଶା ପୋଲିସ, କଟକ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା । ତେବେ ଏହା ମଧ୍ୟରେ କନଷ୍ଟେବଳ / ସିପାହୀ ପଦ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।

ସଦ୍ୟ ନୋଟିସ୍ ମୁତାବକ, ଡିସେମ୍ବର ୭ ତାରିଖ ଠାରୁ କନଷ୍ଟେବଳ / ସିପାହୀ ପଦର କମ୍ପ୍ୟୁଟର ବେସଡ ରିକ୍ରୁଟମେଣ୍ଟ ପରୀକ୍ଷା (ସିବିଆରଇ) ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର ପରୀକ୍ଷା କେନ୍ଦ୍ରମାନଙ୍କରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ଓଡ଼ିଶା ପକ୍ଷରୁ ଏହି ପଦର ଅନଲାଇନ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ଡିସେମ୍ବର ୨ ତାରିଖ ସକାଳ ୧୦ଟା ପରଠାରୁ ୱେବସାଇଟ୍ https://odishapolice.gov.in/ କୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ୩ ତାରିଖ ଠାରୁ ମକ୍ ଟେଷ୍ଟ ଉପଲବ୍ଧ ହେବ । ପରୀକ୍ଷା ଦେବା ପୂର୍ବରୁ ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ମକ୍ ଟେଷ୍ଟ ଦେଇ ପାରିବେ । ନିଯୁକ୍ତି ବାବଦରେ ଅପଡେଟ୍ ଜାଣିବା ପାଇଁ ନିୟମିତ ଭବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଥମେ ମୋଟ ୧୩୬୦ଟି ସିପାହୀ / କନଷ୍ଟେବଳ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୭୨୦ଟି ପଦ ସେଥିରେ ଯୋଡ଼ା ଯାଇଥିଲା । ଏହାଫଳରେ ମୋଟ ପଦ ସଂଖ୍ୟା ୨୦୮୦କୁ ବୃଦ୍ଧି ପାଇଥିଲା । ସେପ୍ଟେମ୍ବର ୨୩ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୩ ଆବେଦନର ଅନ୍ତିମ ତାରିଖ ରହିଥିଲା । ମାତ୍ର ପାର୍ବଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ତାହାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତା’ ପରେ ପୁଣି ଏହି ଅବଧିକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।