ଜାତୀୟ ଯୁବ ଦିବସ: କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହେଲା ‘ଓଡ଼ିଶା ୟୁଥ୍ କନ୍କ୍ଲେଭ-୨୦୨୫’
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ରବିବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ଓଡ଼ିଶା ୟୁଥ୍ କନ୍କ୍ଲେଭ-୨୦୨୫ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ରବିବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ଓଡ଼ିଶା ୟୁଥ୍ କନ୍କ୍ଲେଭ-୨୦୨୫ ଅନୁଷ୍ଠିତ ହୋଇଯାଇଛି। କ୍ରାନ୍ତିକାରୀ ଫାଉଣ୍ଡେସନର ଅଧ୍ୟକ୍ଷ ନଳିନୀକାନ୍ତ ନାୟକ ଓ ଓୱାଏଫ୍ର ପ୍ରତିଷ୍ଠାତା ସନ୍ତୋଷ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଟିମ୍ ଗ୍ରୁପ୍ ସି.ଏମ୍.ଡି ନିଶିକାନ୍ତ ମିଶ୍ର, ପ୍ରବାସୀ ଭାରତୀୟ ତଥା ଗ୍ଲୋବାଲ ଟୁରିଜିମ୍ ଏକ୍ସପର୍ଟ ଶୀତଲ କୁମାର ଦାସବାବୁ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରି ଯୁବ ସମାଜକୁ ଆଗକୁ ବଢିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ।
ତିନୋଟି ଅଧିବେଶନରେ ଅନୁଷ୍ଠିତ ଏହି କନ୍କ୍ଲେଭର ପ୍ରଥମ ଅଧିବେଶନରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଗ୍ଲୋବାଲ ବିଜ୍ନେସନ ଲିଡର ଦେବୀ ଦାସ ଯୋଗଦେଇ ‘ବିକାଶର ସାଥୀ-ଆମ ଯୁବଶକ୍ତି’ ଆଲୋଚନାଚକ୍ରରେ ଯୁବଶକ୍ତି ଉପରେ ଅନେକ ଉପାଦେୟ ମନ୍ତବ୍ୟମାନ ଦେଇଥିଲେ।
ଏଥିରେ ସାମିଲ୍ ହୋଇନପାରି ଭଟ୍ଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଭିଡ଼ଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶା ୟୁଥ୍ କନ୍କ୍ଲେଭ ଉପରେ ମତ ରଖିଥିଲେ। ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓ ହିମାଂଶୁ ସାହୁ ଯୁବଶକ୍ତିମାନଙ୍କୁ ରାଜନୀତି, ସମାଜସେବା, ଉଦ୍ୟୋଗ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଗକୁ ଯିବା ପାଇଁ ପରାମର୍ଶ ଦେବା ସହ ସଂଘର୍ଷ ହିଁ ସଫଳତାର ଚାବିକାଠି ବୋଲି କହିଥିଲେ।
ଦ୍ୱିତୀୟ ଅଧିବେଶନରେ ‘ସଶକ୍ତ ମହିଳା-ସମୃଦ୍ଧ ଓଡ଼ିଶା’ ଶୀର୍ଷକ ଆଲୋଚନଚକ୍ରରେ ଆସ୍କା ସଂସଦୀୟ କ୍ଷେତ୍ରର ବିଜେଡ଼ି ପ୍ରାର୍ଥୀନୀ ରଞ୍ଜିତା ସାହୁ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ମହିଳା ଉଦ୍ୟୋଗୀ ଆକାଂକ୍ଷା ପାଢୀ ଯୋଗଦେଇ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତି ଓ ଅଭିବୃଦ୍ଧି ସମେତ ମହିଳା ସଶକ୍ତିକରଣ ଓ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ତୃତୀୟ ଅଧିବେଶନରେ ଦୈନିକ ସକାଳ ଖବରକାଗଜର ପ୍ରକାଶକ ଅମିତ ମଲ୍ଲିକ, ସାମାଜିକ ଉଦ୍ୟୋଗୀ ଅଜିତ୍ ପାଲ ଓ ଯୁବ ଉଦ୍ୟୋଗୀ ଡ. ନଳିନୀକାନ୍ତ ମିଶ୍ର ଯୋଗଦେଇ ‘ଉତ୍କୃଷ୍ଟ ଉତ୍କଳ-ଅତୀତ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ସମୃଦ୍ଧ ଓଡ଼ିଶାର ଅତୀତ ଓ ବର୍ତ୍ତମାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଶ୍ରୀ ଅମିତ ମଲ୍ଲିକ ରାଜ୍ୟର ଅତୀତ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଓ ଯୁବ ସମାଜର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜନୀତି, କଳା ଓ ସଂସ୍କୃତି, ଉଦ୍ୟୋଗୀ, କ୍ରୀଡ଼ା, ସମାଜସେବା, ସାମ୍ବାଦିକତା, ଭାଷା ଓ ସାହିତ୍ୟ ଇତ୍ୟାଦି ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ୨୦ଜଣ ଯୁବ ପ୍ରତିଭା ଓ ବିଭିନ୍ନ ସାମାଜିକ ସଂଗଠନକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥାପକ ଶ୍ରୀକୁମାର ମୁକେଶ, ଶୁଭ୍ରଜ୍ୟୋତି ଭୂୟା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂଗଠନ ସମ୍ପାଦକ ଆଶିଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ କ୍ରାନ୍ତିକାରୀ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ସର୍ବଜିତ ପଟ୍ଟନାୟକ, ସଭ୍ୟ ବିଶ୍ୱରଞ୍ଜନ ଦାସ, ନିରଞ୍ଜନ ମଲ୍ଲିକ, ମାନସ ରଞ୍ଜନ ସାହୁ, ଅଂଶୁମାନ ଦାସ, ଜୟପ୍ରକାଶ ନାୟକଙ୍କ ସମେତ ୫୦୦ରୁ ଅଧିକ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।