ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଡା. ହରିବାବୁ କମ୍ଭମପତି । ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ପାଇ ସେ ବେଶ୍ ଖୁସି ଥିବା କହିଛନ୍ତି । ଓଡିଶାର ଉନ୍ନତି ପାଇଁ କାମ କରିବି । ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ଖଣିଜ ସମ୍ପଦରେ ଭରି ରହିଛି ଓଡ଼ିଶା । ଶିଳ୍ପ ସ୍ଥାପନ ପାଇଁ ଏଠାରେ ଅନେକ ସୁଯୋଗ ରହିଛି । ଓଡିଶା ସରକାର ପଲିସି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ । ଏ ଦିଗରେ ବହୁ ଉନ୍ନତଧରଣ କାର୍ଯ୍ୟ ହୋଇପାରିବ । ଓଡିଶାର ବହୁ ଶ୍ରମିକ ଆନ୍ଧ୍ରରେ କାମ କରନ୍ତି । ରାଜ୍ୟରେ ଶ୍ରମିକ ସମସ୍ୟା ଥିଲେ ସେହି ଦିଗକୁ ଗୁରୁତ୍ୱର ସହ ନିଆଯିବ ଏବଂ ବହୁମୁଖି କାର୍ଯ୍ୟକରାଯିବ ।
ଆଜି ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିବା ରଘୁବର ଦାସ ଇସ୍ତଫା ଦେଇଛନ୍ତି । ମହାମହିମ ରାଷ୍ଟ୍ରପତି ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ରଘବରଙ୍କ ଇସ୍ତଫା ଘୋଷଣା ପରେପରେ ହରିବାବୁଙ୍କ ନାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଘୋଷଣା କରାଗଲା । ୨୦୧୪ରେ ବିଶାଖାପାଟନାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ହରିବାବୁ । ପେଷାରେ ଇଞ୍ଜିନିୟର ହରିବାବୁ ରାଜନୀତି ପାଇଁ ଚାକିରି ଛାଡ଼ିଦେଇଥିଲେ । ଓଡ଼ିଶା ଗଭର୍ନର ହେବା ପୂର୍ବରୁ ସେ ମିଜୋରାମ ରାଜ୍ୟପାଳ ଦାୟିତ୍ୱରେ ଥିଲେ ।