ରାଜ୍ୟପାଳଙ୍କୁ ଭେଟିଲେ ‘ରଙ୍ଗଶୁର’ ଟିମ୍, ଓଲିଉଡ ଇଣ୍ଡଷ୍ଟ୍ରିର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ନାରୀ ସଶକ୍ତିକରଣ ଉପରେ ପର୍ଯ୍ୟପସିତ ଚଳଚ୍ଚିତ୍ର ‘ରଙ୍ଗଶୁର’ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଙ୍ଗିନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ରାଜ୍ୟପାଳ ।
ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଲୋକନୃତ୍ୟ ‘ବାଘ ନାଚ’ ଉପରେ ଆଧାରିତ ଫିଲ୍ମ ‘ରଙ୍ଗଶୁର’ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ, ଅଭିନେତ୍ରୀ ଶୁଭଶ୍ରୀ ପ୍ରମୁଖ ନବ ନିଯୁକ୍ତ ରାଜ୍ୟପାଳ ଶ୍ରୀଯୁକ୍ତ ହରିବାବୁ କାମ୍ଭମପତିଙ୍କ ସହ ସାକ୍ଷାତ୍ କରିଛନ୍ତି ।
ରଙ୍ଗଶୁର ଫିଲ୍ମ ତିଆରି ପଛର ଉଦ୍ଦେଶ୍ୟ ସମ୍ପର୍କରେ ସଦସ୍ୟମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି । ପ୍ରାଚୀନ ଲୋକ ନୃତ୍ୟକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାଠାରୁ ଆରମ୍ଭ କରି ଦର୍ଶକଙ୍କ ପାଖରେ ଫିଲ୍ମଟିକୁ ପହଞ୍ଚାଇବା ପାଇଁ ସାହସ କରିବା ପର୍ଯ୍ୟନ୍ତ କାର୍ଯ୍ୟ ଶୈଳୀ ପାଇଁ ରାଜ୍ୟପାଳ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଫିଲ୍ମଟି ନାରୀ ସଶକ୍ତିକରଣ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ମଧ୍ୟ ଦର୍ଶନକଙ୍କ ନିକଟରେ ପହଞ୍ଚାଇବାର ଚେଷ୍ଟା କରିଛି । ଚଳଚ୍ଚିତ୍ର ରଙ୍ଗଶୁର କିପରି ରାଜ୍ୟ ତଥା ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚିପାରିବ ସେ ସମ୍ପର୍କରେ ରାଜ୍ୟପାଳଙ୍କ ସହ ସଦସ୍ୟମାନେ ଆଲୋଚନା କରିଛନ୍ତି । ଏହାବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କିପରି ଆଗକୁ ବଢ଼ିବ ସେ ପ୍ରସଙ୍ଗରେ ମଧ୍ୟ ଫିଲ୍ମ ନିର୍ମାଣକାରୀ ଟିମ୍ ଆଲୋକପାତ କରିଛନ୍ତି ।
ଓଲିଉଡ୍ ସିନେମାକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଆଗକୁ ନେବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତା’ ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା କରାଯାଇଛି । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଉନ୍ନତି ଏବଂ ଏହାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ନେଇ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି ।