fbpx

ଦିନିକିଆ ଅଧିନାୟକ ପଦରୁ ହଟିବେ କୋହଲି ! ରୋହିତ ଶର୍ମାଙ୍କୁ ୨ଟି ଫର୍ମାଟରେ କ୍ୟାପେଟନ୍ କରିବାକୁ ଯୋଜନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତକୁ ମିଳିଛି ସବୁଜ ସଙ୍କେତ । ଭାରତ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ଟେଷ୍ଟ ସହିତ ତିନି ଦିନିକିଆ ମ୍ୟାଚ ଖେଳିବ । ଦୁଇ ଦେଶ ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେବାର ଥିଲା । ମାତ୍ର ଓମିକ୍ରୋନ କରୋନା ଭୂତାଣୁ ସଂକ୍ରମଣ ନେଇ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ବିଳମ୍ବ ହେବା କାରଣରୁ ଟି-୨୦ ସିରିଜକୁ ବାଦ ଦିଆଯାଇଛି । ତେଣୁ ଏହି ସିରିଜ ପାଇଁ ଭାରତୀୟ ଦଳ ଗଠନ ନେଇ ବିସିସିଆଇ ସିନିୟର ଚୟନ କମିଟି ସଦସ୍ୟ ଚେତନ ଶର୍ମା, ଆବେ କୁରୁଭିଲା ଓ ସୁନିଲ ଯୋଶୀ ବିଚାର ବିମର୍ଷ ଚଳାଇଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ ସୀମିତ ଓଭର ଫର୍ମାଟ ପାଇଁ ଦୁଇ ପୃଥକ ଅଧିନାୟକ ନିଯୁକ୍ତି ସପକ୍ଷରେ ନାହିଁ ବିସିସିଆଇ । କାରଣ ଦିନିକିଆ ଓ ଟି-୨୦ ଫର୍ମାଟ ପାଇଁ ଜଣେ ଅଧିନାୟକ ନିଯୁକ୍ତି ପାଇଁ ବର୍ତ୍ତମାନ ଆଲୋଚନା ଚାଲିଛି । କାରଣ ରୋହିତ ଶର୍ମା ବର୍ତ୍ତମାନ ଟି-୨୦ ଦଳ ଅଧିନାୟକ ଅଛନ୍ତି ।

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ ଓ ୨୦୨୩ରେ ଭାରତ ଆୟୋଜନ କରିବ ଦିନିକିଆ ବିଶ୍ୱକପ । ତେଣୁ ଏହି ଦୁଇ ଫର୍ମାଟ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ କରିବା ଯୋଜନା ଚାଲିଛି । ସେହି ଦୃଷ୍ଟିରୁ କୋହଲି ଦିନିକିଆ ଅଧିନାୟକ ପଦରୁ ହଟିଯିବା ସମ୍ଭାବନା ଦେଖା ଦେଇଛି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳ ଚୟନ ବେଳେ ସିନିୟର ଚୟନକର୍ତ୍ତାଙ୍କ ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟନ୍ତ ଶାହ ଏହି ପ୍ରସଙ୍ଗ ନେଇ ଆଲୋଚନା କରିବେ । ସେହିପରି ବହୁ ଦିନ ଧରି ବିଫଳ ହୋଇ ଆସୁଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହିତ ଏହି ପଦରେ ନିଯୁକ୍ତି ହେବା ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଦୁର୍ବଳ ପ୍ରଦର୍ଶନ ସତ୍ତେ୍ୱ ରାହାଣେ ଓ ଚେତେଶ୍ୱର ପୂଜାରା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଖେଳିବା ସୁଯୋଗ ପାଇବେ ବୋଲି ସୂଚନା ମିଳିଛି । ତେବେ ଭାରତ ବର୍ତ୍ତମାନ ଅଧିକ ସଂଖ୍ୟକ ଦିନିକିଆ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ନାହିଁ । ତେଣୁ କୋହଲି ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିବେ । ମାତ୍ର ୨୦୨୩ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ରୋହିତଙ୍କୁ ପରବର୍ତ୍ତୀ ଦିନିକିଆ ଦଳର ଅଧିନାୟକ ନିଯୁକ୍ତି କରିବା ନିଶ୍ଚିତ ବୋଲି ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.