fbpx

ବୁଡ଼ିବାକୁ ବସିଲାଣି ପାକିସ୍ତାନ, ଇମ୍ରାନଙ୍କ ମୁଣ୍ଡ କାମ କରୁନି: ଏକ ଡଲାରର ମୂଲ୍ୟ ୨୦୦ ପାକିସ୍ତାନ ରୁପି

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ପାକିସ୍ତାନରେ ଦେବାଳିଆ ଭଳି ପରିସ୍ଥିତି ଉପୁଜିଛି । ସ୍ଥିତି ଏପରି ହେଲାଣି ଯେ, ସେଠାରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଅାଁ ହୋଇଯାଇଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ରାତିରେ ନିଦ ହେଉନାହିଁ । ତେବେ କୋଭିଡ୍ ମହାମାରୀ କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଖୋଦ୍ ଇମ୍ରାନ କହିଥିଲେ ହେଁ ବାସ୍ତବ କଥା କିନ୍ତୁ ଟିକେ ଅଲଗା । ପାକିସ୍ତାନର ବଡ଼ଭାଇ ଚୀନ ପାଇଁ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ସେଠାକାର କିଛି ଅର୍ଥନୀତିଜ୍ଞ ମତ ଦେଇଛନ୍ତି ।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପାକିସ୍ତାନୀ ମୁଦ୍ରାର ବିନିମୟ ମୂଲ୍ୟରେ ଅହେତୁକ ପରିବର୍ତ୍ତନ ଘଟିଛି । ଚଳିତ ମାସ ପ୍ରଥମ ସପ୍ତାହରେ ଏକ ଡଲାରର ମୂଲ୍ୟ ୧୭୮ ପାକିସ୍ତାନ ରୁପି ରହିଥିବା ବେଳେ ଏବେ ତାହା ଡବଲ ସେଞ୍ଚୁରୀ ମାରିଛି । ପାକିସ୍ତାନର ଅନୈତିକ କାର୍ଯ୍ୟକଳାପ ବିଷୟରେ ସମସ୍ତ ବିଶ୍ୱ ସମ୍ପୂର୍ଣ୍ଣ ଭାବେ ଅବଗତ । ତେଣୁ ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ନ୍ୟାୟରେ ପାକିସ୍ତାନକୁ କୌଣସି ରାଷ୍ଟ୍ର ଏବେ ଋଣ ଦେବାକୁ ଆଗଭର ହେଉନାହାନ୍ତି । ଚୀନର କରଜ ଜାଲରେ ମଧ୍ୟ ପାକିସ୍ତାନ ଛଟପଟ ହେଉଛ । ଏପରି ସ୍ଥଳେ ପାକିସ୍ତାନରେ ଇମ୍ରାନଙ୍କୁ ହଟାଇବା ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଦେଶରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିରୋଧୀମାନେ ଆରମ୍ଭ କରିଦେଲେଣି ହଙ୍ଗାମା । ତେବେ ଗୋଟିଏ ପଟେ ଦେଶ ତଳକୁ ଖସୁଛି ଅନ୍ୟପଟେ ଇମ୍ରାନଙ୍କ ଗାଦି ଟଳମଳ । ତେଣୁ ପରିସ୍ଥିତିର ସୁମୁକାବିଲା କରିବାରେ ବିଫଳ ହୋଇଥିବା ଇମ୍ରାନ ଏବେ ଭୋକ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇଲେ ସେ କାହାରିକୁ ଛାଡ଼ିବେ ନାହିଁ, ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ପୂର୍ବରୁ ଇମ୍ରାନ ନିଜର ପିଲାଳିଆମି ତଥା ହତ୍ୟାସ୍ପଦ ଆଚରଣ ପାଇଁ ବିଶ୍ୱବ୍ୟାପି ନିନ୍ଦିତ ହୋଇଥିବା ବେଳେ ପୁଣି ଥରେ ଏଭଳି ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି । ଆଗାମୀ ଦିନରେ ଇମ୍ରାନ ବୁଡ଼ୁଥିବା ପାକିସ୍ତାନ ରୂପୀ ଜାହାଜକୁ କେମିତି ମୁକୁଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.