ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଝଟକା: ଦଳରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣି ଲାଗିଛି କରୋନାର କଳା ନଜର । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ଦାଉ ସାଧିଛି । ଜଣକ ପରେ ଜଣେ ଏହି ମହାମାରୀର କବଳରେ ଫସି ଚାଲିଛନ୍ତି । ଏବେ ଦଳର ଆଉ ଜଣେ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପୂର୍ବରୁ କିଛି ସପୋର୍ଟିଂ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଜଣେ ବିଦେଶୀ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଫଳରେ ଆଜି ପଞ୍ଜାବ ବିପକ୍ଷ ମ୍ୟାଚକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚଳିତ ସିଜନର ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବାକୁ ଯାଉଛି । କିନ୍ତୁ ଏହାର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ପରେ ଆଉ ଜଣେ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ଆଜି ପଞ୍ଜାବ ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିଲ୍ଲୀର ଏକାଧିକ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ମ୍ୟାଚ ଆୟୋଜନ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଛି ।

ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ୫ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ସମେତ ଦଳର ୪ ଜଣ ସପୋର୍ଟ ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହେବା ପରେ ଦଳକୁ କ୍ୱାରାଣ୍ଟାଇନ କରାଯାଇଥିଲା । ତେବେ ମ୍ୟାଚ ପୂର୍ବରୁ ଅନ୍ୟ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବାରୁ ଆଉ ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଆଜିର ଏହି ମ୍ୟାଚ ଖେଳାଯିବ କି ନାହିଁ ସେ ନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।