fbpx

ଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟକା: ଆହତ କାରଣରୁ ବାଦ୍ ପଡ଼ିଲେ ଜଣେ ଖେଳାଳି

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ଏସିଆ କପର ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଫାଇନାଲ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ଲେଇଙ୍ଗ-୧୧ ଜୋରଦାର ଅଭ୍ୟାସ ଜାରି ରଖିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଅଚାନକ ଦଳର ଜଣେ ଭଲ ଖେଳାଳି ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଫାଇନାଲ ମ୍ୟାଚ ପୂର୍ବରୁ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଅଚାନକ ଆହତ ହୋଇଛନ୍ତି । ତେଣୁ ଆହତ ଜନିତ କାରଣରୁ ଅକ୍ଷରଙ୍କୁ ଫାଇନାଲରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ୨୩ ବର୍ଷୀୟ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି । ସୁନ୍ଦର ଶେଷ ଥର ପାଇଁ ଗତ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଖେଳିଥିଲେ ।

ଗତକାଲି ସମାପ୍ତ ହୋଇଥିବା ଏସିଆ କପର ସୁପର-୪ର ଶେଷ ମ୍ୟାଚରେ ଅକ୍ଷର ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୬୫ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ସଂଘର୍ଷ କରି ମାତ୍ର ୬ ରନରେ ପରାସ୍ତ ହୋଇଥିଲା । ଭାରତର ପରିସ୍ଥିତି ସଙ୍କଟଜନକ ରହିଥିବା ବେଳେ ଅକ୍ଷର ୩୪ ବଲରୁ ୪୨ ରନ ସଂଗ୍ରହ କରିବା ସହିତ ଗୋଟିଏ ୱିକେଟ ହାସଲ କରିଥିଲେ । ଶେଷ ମୁହୂର୍ତ୍ତରେ ଅକ୍ଷରଙ୍କ ବ୍ୟାଟିଂ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା । ଅକ୍ଷରଙ୍କ ଅନୁପସ୍ଥିତି ଦଳ ଉପରେ ନିଶ୍ଚିତ ଭାବେ ପ୍ରଭାବ ପଡ଼ିବ ।

Get real time updates directly on you device, subscribe now.