fbpx

One Seat One Person: ଜଣେ ବ୍ୟକ୍ତି କେବଳ ଗୋଟିଏ ସିଟରେ ଲଢ଼ିପାରିବ, କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି କେବଳ ଗୋଟିଏ ସିଟରେ ହିଁ ନିର୍ବାଚନ ଲଢ଼ିପାରିବେ । ଏହି ପ୍ରସ୍ତାବକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଇନ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି । ଦ୍ୱିତୀୟ ଥର ପାଇଁ ନିର୍ବାଚନ ହେବା ଦ୍ୱାରା ସରକାରୀ ରାଜକୋଷରୁ ଅଯଥାରେ ଖର୍ଚ୍ଚ ବଢ଼ୁଛି । ‘ୱାନ ପର୍ସନ ୱାନ ସିଟ’ ପ୍ରସ୍ତାବ କାର୍ଯ୍ୟକାରୀ ହେେଲେ ସରକାରଙ୍କ ଉପରେ ଆର୍ଥିକ ଭାର କମ୍ ରହିବ । ଏଥିସହିତ ଯେଉଁ ସିଟ୍ ଖାଲି ହୋଇଥାଏ, ସେହି ଆସନର ମତଦାତାଙ୍କ ଉପରେ ହେଉଥିବା ଅନ୍ୟାୟ ଉପରେ ରୋକ ଲାଗି ପାରିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଜଣେ ବ୍ୟକ୍ତି ଗୋଟିଏ ସିଟରେ ନିର୍ବାଚନ ଲଢ଼ିବା ପ୍ରସ୍ତାବ ଉପରେ ଜୋର ଦେବା ସହ ଏହା ଉପରେ ଗମ୍ଭୀର ଭାବେ ବିଚାର କରାଯିବା ଜରୁରୀ ବୋଲି କହିଛନ୍ତି । ଗତ ୨୦୦୪ରେ ପ୍ରଥମ ଥର ଏହି ପ୍ରସ୍ତାବ ଆୟୋଗଙ୍କ ପକ୍ଷରୁ ପଠାଯାଇଥିଲା । ମାତ୍ର ୧୮ ବର୍ଷ ପରେ ମଧ୍ୟ ଏହି ପ୍ରସ୍ତାବ ଉପରେ କୌଣସି ଆଖିଦୃଶିଆ ବିଚାର କରାଯାଇ ନାହିଁ ।

ସୂତ୍ର ମୁତାବକ, ଏହି ମାମଲାକୁ ନେଇ ଆଇନ ମନ୍ତ୍ରଣାଳୟ ସହିତ ନିର୍ବାଚନ ଆୟୋଗ ଆଲୋଚନା କରୁଛନ୍ତି । ଏଥିପାଇଁ କିଛି ନୂଆ ଧରଣର ପରିବର୍ତ୍ତନ ଅଣାଯାଇପାରେ । ଏକ ବ୍ୟକ୍ତି ଏକ ସିଟ ପ୍ରସ୍ତାବକୁ ଲାଗୁ କରିବା ପାଇଁ ଆରପି ଆକ୍ଟରେ ପରିବର୍ତ୍ତନ କରିବାକୁ ପଡ଼ିବ । ଏହି ନିୟମକୁ ସଂସଦରେ ପାରିତ କରିବାକୁ ହେଲେ ରାଜନୈତିକ ଦଳଙ୍କ ସହମତି ଆବଶ୍ୟକ । ନୂଆ ନିର୍ବାଚନ ଆୟୁକ୍ତ ଆସିବା ପରେ ନିର୍ବାଚନ ସମ୍ବନ୍ଧୀୟ କିଛି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି ।

ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୩୩ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇଟି ସିଟରେ ନିର୍ବାଚନ ଲଢ଼ିପାରିବେ । ପ୍ରାୟତଃ ବଡ଼ ବଡ଼ ନେତାମାନେ ଦୁଇଟି ଲୋକସଭା ନିର୍ବାଚନ ଲଢ଼ିଥାନ୍ତି । ଯଦି ସେ ଦୁଇଟି ସିଟରେ ଜିତିଯାଆନ୍ତି ତେବେ ଗୋଟିଏ ସିଟରୁ ଇସ୍ତଫା ଦେଇଥାନ୍ତି । ଏହାପରେ ଗୋଟିଏ ସିଟରେ ପୁଣି ଥରେ ନିର୍ବାଚନ ହୋଇଥାଏ । ଏଥିରେ ଭୋଟରଙ୍କ ସହିତ ସରକାରୀ ମେସିନାରୀର ବ୍ୟବହାର ହୁଏ ଓ ଆୟୋଗ ପୁନର୍ବାର ଖର୍ଚ୍ଚ ଉଠାଇଥାନ୍ତି । ଏପରି ସ୍ଥିତିରେ ଜନପ୍ରତିନିଧିମାନେ ଧୋକ୍କା ଦେଇଥିବା ଭୋଟରଙ୍କ ହୃଦବୋଧ ହୋଇଥାଏ ।

Get real time updates directly on you device, subscribe now.