ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ, ୨ ଆହତ

ଶ୍ରୀନଗର,୨୫ା୭: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ କୃଷ୍ଣା ଘାଟି ବ୍ରିଗେଡ୍ ଅଞ୍ଚଳରେ ଶୁକ୍ରବାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

ଭାରତୀୟ ସେନାର ହ୍ଵାଇଟ୍ ନାଇଟ୍ କୋର୍ପସ୍ ଏକ୍ସ (X) ପ୍ଲାଟଫର୍ମରେ ଶହୀଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛି ଯେ, ୭ ଜାଟ୍ ରେଜିମେଣ୍ଟର ଅଗ୍ନିବୀର ଲଲିତ କୁମାର ଏହି ଦୁର୍ଘଟଣାରେ  ବଳିଦାନ ଦେଇଛନ୍ତି। ସେନା ତରଫରୁ ଶୋକସନ୍ତପ୍ତ ପରିବାରଙ୍କ ପାଖରେ ସମବେଦନା ପ୍ରକାଶ କରାଯାଇଛି। ଏହି ଘଟଣା ପରେ ସୁରାଙ୍କୋଟର ସାରୀ, ଉସ୍ତାନ, ପାଠାଙ୍କୋର, ଲୋହାର ମୋହାଲା, ଚନ୍ଦୀମାର, ଫାଗଲ, ହାରୀ ଟପ୍ ଓ କାଗଓ୍ଵାଲି ଏବଂ ମେନ୍ଧାରର ଲିମ୍ବା, ଉଚ୍ଚଡ଼ ଓ କଲ୍ଲାର-ଗୁରସାଇ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ଵାରା ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହା ସହିତ ଚଳିତ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଚଳିତ ସପ୍ତାହରେ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦେଶକ ନଳିନ ପ୍ରଭାତ ପୁଞ୍ଚରେ ଆୟୋଜିତ ବୁଦ୍ଧ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଆଲୋଚନା କରିବା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ୧୩ ଦିନିଆ ‘ବୁଦ୍ଧ ଅମରନାଥ’ ଯାତ୍ରା ଜୁଲାଇ ୨୮ରୁ ଜମ୍ମୁର ଭାଗବତୀ ନଗର ବେସ୍‌ କ୍ୟାମ୍ପରୁ ଆରମ୍ଭ ହୋଇ ଅଗଷ୍ଟ ୯ରେ ସମାପ୍ତ ହେବ। ପୁଞ୍ଚ ଜିଲ୍ଲା ପୋଲିସ ଲାଇନରେ ଡିଜିପି ନଳିନ ପ୍ରଭାତ, ସ୍ପେଶାଲ ଡିଜିପି ଜାଭିଦ ଗିଲାନୀ, ଆଇଜିପି ଭୀମସେନ ଟୁଟି ଏବଂ ସିଆରପିଏଫର ଆଇଜି ଗୋପାଳ କେ. ରାଓ ରାଜୋରୀ ଓ ପୁଞ୍ଚ ଅଧିକାରୀଙ୍କ ସହ ଏକ ସୁରକ୍ଷା ସମୀକ୍ଷା କରିଥିଲେ। ଚଳିତ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଞ୍ଚଳରେ ଉତ୍କଣ୍ଠା ଦେଖାଦେଇଛି। ସୁରକ୍ଷା ବାହିନୀ ସତର୍କ ରହି ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି।