ନୂଆଦିଲ୍ଲୀ: ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦରରେ ଲାଗିଛି ନିଆଁ । ଦେଶରେ ଏବେ ପିଆଜର ଦାମ୍ ୪୩.୨୭ ଟଙ୍କା ରହିଥିବା କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଥିବା ବେଳେ ସର୍ବାଧିକ ମୂଲ୍ୟ ୭୭ ଟଙ୍କାରେ ପହଞ୍ଚି ଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ ଦର କେଜି ପ୍ରତି ୬୮ ଟଙ୍କା ରହିଛି । ସେହିପରି କେରଳରେ ଏହି ଦାମ୍ ୬୦ ଟଙ୍କା ଟପିଯାଇଛି ।
ଖବର ମୁତବାକ, ଦିଲ୍ଲୀ ଏନସିଆରରେ ପିଆଜର ମୂଲ୍ୟ ଶତକ ମାରିଛି । କିଛି ଅଞ୍ଚଳରେ ପିଆଜର ଖୁଚୁରା ଦର ୧୦୦ ଟଙ୍କାରେ ପହଞ୍ଚି ଯାଇଛି । ତେବେ ଯେଉଁ ହାରରେ ପିଆଜର ଦର ବୃଦ୍ଧି ପାଉଛି ଖୁବଶୀଘ୍ର ତାହା ୧୫୦୦ ଟପିଯିବ ବୋଲି ଆଶଙ୍କା କରାଯାଉଛି । ସେହିପରି ନୋଏଡ଼ାରେ ଦର ୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ସେକ୍ଟର-୮୮ର ମଣ୍ଡିରୁ ବେପାରୀମାନେ ୮୦ ଟଙ୍କା ଦେଇ କିଣୁଛନ୍ତି । ଫଳରେ ବଜାରରେ ସେମାନେ ତାହାକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ।
ତେବେ ପିଆଜ ବହୁତ କମ୍ ମାତ୍ରାରେ ଆସୁଥିବାରୁ ଆଗାମୀ ଦିନରେ ତାହା ୧୫୦ ଟପିପାରେ । ପରିବହନ ଦର ଅଧିକ ହେବା କାରଣରୁ ଖୁଚୁରା ମୂଲ୍ୟରେ ଏହାର ପ୍ରଭାବ ଦେଖାଯାଉଛି । ପିଆଜ ଦର ଏବେ ହ୍ରାସ ପାଇବାର ସମ୍ଭାବନା ନାହିଁ । ଏପରିକି ମାସକ ମଧ୍ୟରେ ପିଆଜ ଦର ୨୦୦ ଟଙ୍କାକୁ ମଧ୍ୟ ବୃଦ୍ଧି ପାଇପାରେ ବୋଲି ନୋଏଡ଼ାର ଜଣେ ଖୁଚୁରା ପିଆଜ ବ୍ୟବସାୟୀ କହିଛନ୍ତି ।
ତେବେ ମୌସୁମୀ ପ୍ରତିବନ୍ଧକ ସାଜିବାରୁ ଖରିଫ ପିଆଜ ଲଗାଇବାରେ ବିଳମ୍ବ ହୋଇଥିଲା । ତେଣୁ ଏହାର ପ୍ରଭାବ ଫସଲ ଉପରେ ପଡ଼ିଥିଲା ଓ ପିଆଜ ବିଳମ୍ବରେ ଆସୁଥିବା ଦେଖାଯାଉଛି । ବର୍ତ୍ତମାନ ସୁଦ୍ଧା ପିଆଜ ମଣ୍ଡିମାନଙ୍କରେ ପହଞ୍ଚିଯିବା କଥା । ମାତ୍ର ପିଆଜ ଭଣ୍ଡାର ସରିଆସୁଥିବା ବେଳେ ସେଥିରେ ରବି ପିଆଜ ରହିଥିଲା । ଖରିଫ ପିଆଜ ଆସିବାରେ ବିଳମ୍ବ କାରଣରୁ ସପ୍ଲାଇ ବହୁତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଉଭୟ ହୋଲସେଲ ଓ ଖୁଚୁରା ବଜାରରେ ମୂଲ୍ୟ ବୃଦ୍ଧି ପାଇଥିଲା ବୋଲି କୁହାଯାଉଛି ।