fbpx

ସମୟ ପୂର୍ବରୁ ରାଜଧାନୀ ବଜାରରେ ବିକ୍ରି ହେଉଛି ଅନ୍ୟ ରାଜ୍ୟର ଆମ୍ବ: ଫଳକୁ କେମିକାଲ ଦେଇ ପଚାଯାଉଛି, ସତର୍କ କଲେ OUAT ବୈଜ୍ଞାନିକ ଓ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର୍ରପ୍ରଦେଶର ବିଭିନ୍ନ କିସମର ଆମ୍ବ ଉପଲବ୍ଧ ହେଲାଣି । ଦୈନିକ ଆନ୍ଧ୍ରରୁ ପାଖାପାଖି ୧୦୦-୧୫- ଟନ୍ ଆମ୍ବ ରାଜଧାନୀକୁ ଆସୁଥିବା ହୋଲସେଲ ଫଳ ବ୍ୟବସାୟୀ କହିଛନ୍ତି । ଏହି ଆମ୍ବ କେଜି ପିଛା ୧୧୦-୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପାଖାପାଖି ୨୦ ଦିନରୁ ଅଧିକ ଦିନ ହେଲା ଏହି ଆମ୍ବ ଏଠାରେ ବିକ୍ରି ହେଉଥିବା ଜଣାପଡ଼ିଛି ।

ତେବେ ଓଡ଼ିଶାରେ ୨ ଲକ୍ଷ ହେକ୍ଟର ଜମିରେ ଆମ୍ବ ଚାଷ ହେଉଥିବା ବେଳେ ଏହା ବଜାରକୁ ଆସିବାକୁ ଜୁନ୍ ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ । ଏପରିକି ଓଡ଼ିଶାର ନିଜସ୍ୱ ସଅଳ କିସମ ସୁନ୍ଦର ଭେରାଇଟ ଆମ୍ବ ବଜାରକୁ ଆସିବାକୁ ମେ ମାସ ଓ ଆରକନ, ନିଳାଞ୍ଚଳ, କେସରୀର ଆସିବାକୁ ଏପ୍ରିଲ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । ଅନ୍ୟପକ୍ଷରେ ଆନ୍ଧ୍ରରୁ କିଭଳି ଏତେ ଶୀଘ୍ର ସମାନ କିସମର ଆମ୍ବ ଆସୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମୟ ପୂର୍ବରୁ ବଜାରରେ ଫଳ ଏଭଳି ଭାବେ ବିକ୍ରି ହେବା ଭଲ ସଙ୍କେତ ନୁହେଁ । ଫଳକୁ ରସାୟନ ଦେଇ ପଚାଯାଉଥିବା କହିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ବୈଜ୍ଞାନିକ । ଆମ୍ବ କିମ୍ବା ଅନ୍ୟ କୌଣସି ଫଳ ସମ୍ପୂର୍ଣ୍ଣ ଭାବେ ବିକଶିତ ନ ହେବା ପର୍ଯ୍ୟନ୍ତ ତାହାକୁ ତୋଳିବା ଅନୁଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମାତ୍ର କିଛି ଲୋକ ଏହାକୁ ତୋଳି ଜୋରଜବରଦସ୍ତି ଭାବେ କେମିକାଲରେ ବୁଡ଼ାଇ ଦେଉଛନ୍ତି । ଏପରିକି ରଙ୍ଗ ମଧ୍ୟ ବିକଶିତ କରାଇ ଦେଉଛନ୍ତି । ଏପରି ଆମ୍ବ ଉପରକୁ ଆକର୍ଷଣୀୟ ଦିଶୁଥିଲେ ହେଁ ପ୍ରକୃତ ସ୍ୱାଦ ରହିନଥାଏ ।

ବର୍ତ୍ତମାନ ସମୟରେ ବଜାରରେ ସ୍ଥାନୀୟ ଆମ୍ବ ଉପଲବ୍ଧ ହେଉନଥିବାରୁ ଗ୍ରାହକମାନେ ଲୋଭାରେ ଏହାକୁ କିଣି ନେଇଥାନ୍ତି । ତେବେ ରାଜ୍ୟର ବଜାରକୁ ଆସୁଥିବା ଏହି ଆମ୍ବକୁ ଖାଦ୍ୟ ସୁରକ୍ଷା ବିଭାଗ ପରୀକ୍ଷା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ସମୟ ପୂର୍ବରୁ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର ବଜାରକୁ ଆନ୍ଧ୍ର ଆମ୍ବ କବଜା କରିନେଉଛି । ତେଣୁ ସ୍ଥାନୀୟ ଚାଷୀ କମ୍ ଦରରେ ନିଜ ଫସଲ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି ବୋଲି ଚାଷୀମାନେ କହିଛନ୍ତି ।

Get real time updates directly on you device, subscribe now.